
ଜମ୍ମୁ କାଶ୍ମୀରର କିଶ୍ତୱାଡରେ ଗୁରୁବାର ହୋଇଥିବା ଏଏଲଏଚ ଧ୍ରୁବ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନାର ସମସ୍ତ ବିଭାଗରେ ଏହାର ଉଡାଣକୁ ବନ୍ଦ କରି ଦେଇଛି। ଗୁରୁବାର କିଶ୍ତୱାଡାରେ ହୋଇଥିବା ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୨ ପାଇଲଟ ଗୁରୁତର ଆହତ ହୋଇଥିବା ବେଳେ ସେଥିରେ ଥିବା ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଥିଲା। ଏହା ଜମ୍ମୁ କାଶ୍ମୀରରେ ୨୦୨୧ରୁ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାର ୫ମ ଦୁର୍ଘଟଣା । ଜଳ ସେନାର ଦୁଇଟି ହେଲିକପ୍ଟର ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଏନଆଇ ରିପୋର୍ଟ ମୁତାବକ, ଭାରତୀୟ ସେନାର ଉତ୍ତରାଞ୍ଚଳ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି କି, ସେନାର ଉଡାଣ କ୍ଷେତ୍ରରେ ନିୟୋଜିତ ଏହି ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଜମ୍ମୁ କାଶ୍ମୀରର କିଶ୍ତୱାଡରେ ମାରୁଆ ନଦୀ ତଟରେ ଗୁରୁବାର ଦିନ ଜରୁରୀ ଲ୍ୟାଣ୍ଡିଂ ଆବଶ୍ୟକ ହୋଇପଡିଥିଲା। ପାଇଲଟମା ଏହାର ସୂଚନା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଦେଇଥିଲେ ଓ ଜରୁରୀ ଅବତରଣ କରିଥିଲେ। କିନ୍ତୁ ସେଠାରେ ଥିବା ଖାଲଢିପ ଓ ପଥୁରିଆ ଜମି କାରଣରୁ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତେବେ ଚଳିତ ମାର୍ଚ୍ଚରେ ଧ୍ରୁବ ହେଲିକପ୍ଟର ମୁମ୍ବାଇ ଉପକୂଳରେ ଦୁର୍ଘଟଣାର ଶିକାର ହୋଇଥିଲା। ଉଭୟ ହେଲିକପ୍ଟର ଭାରତୀୟ ଜଳସେନାରେ ନିୟୋଜିତ ଥିଲା। ଏଏଲଏଚ ହେଲିକପ୍ଟର ଦୁର୍ଘଟଣାକୁ ନେଇ ସଂସଦରେ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା କି, ବିଗତ ଦୁଇ ଦଶନ୍ଧି ଭିତରେ ୨୨ଟି ଏଏଲଏଚ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରେ ଉଡାଣ ବେଳେ ସେଥିରୁ ଅଧିକାଂଶକୁ ଜରୁରୀ ଅବତରଣର ଆବଶ୍ୟକତା ପଡିଛି। ସଂସଦରେ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି କି, ୨୦୧୭ରୁ୨୦୨୧ ଭିତରେ କେବଳ ମାତ୍ର ୬ଟି ଦୁର୍ଘଟଣାର ସୂଚନା ଦିଆଯାଇଥିଲା।

ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହାର ବିଶ୍ୱସନୀୟତାକୁ ନେଇ ଚିନ୍ତା ରହିଛି। ଏହା ବ୍ୟତୀତ ଖାଲି ଲ୍ୟାଣ୍ଡିଂ ନୁହେଁ, ଏଥିରେ ଥିବା ଯାନ୍ତ୍ରିକ ତ୍ରୁଟିକୁ ମଧ୍ୟ ବୁଝିବାକୁ ହେବ। ଏଥିସହ ନିର୍ମାଣ କ୍ଷେତ୍ରରେ ମଧ୍ୟ କୌଣସି ତ୍ରୁଟିର ଦିଗକୁ ଏଡାଇ ଦିଆଯାଇ ନ ପାରେ। ଯେତେବେଳେ ବାରମ୍ୱାର ଧ୍ରୁବର ଦୁର୍ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ସେତେବେଳେ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ପ୍ରବକ୍ତା କହିଛନ୍ତି କି, ଆମେ ମଧ୍ୟ ଏହି ଘଟଣା ସମ୍ପର୍କରେ ଅବଗତ ଅଛୁ। କିନ୍ତୁ ଏହାର ତଦନ୍ତ ମିଲିଟାରୀ କୋର୍ଟ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ରହିଥିବାରୁ ଏନେଇ କିଛି କହିପାରିବୁ ନାହିଁ।
ସୂଚନାକଯୋଗ୍ୟ, ଏଏଲଏଚ ଧ୍ରୁବ ହେଲିକପ୍ଟର ଭାରତର ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ପକ୍ଷରୁ ନିର୍ମିତ ହୋଇଛି।