Cyclone Akvan : ବାତ୍ୟା ‘ଅକଭାନ’ ପାଇଁ ବଡ଼ ନିଷ୍ପତ୍ତି, ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ!

ଖୋର୍ଦ୍ଧା ଜିଲ୍ଲା ପାଇଁ ବଡ଼ ଖବର। ସମ୍ଭାବ୍ୟ ବାତ୍ୟା ‘ଅକଭାନ’କୁ ନେଇ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସୂଚନା ମିଳିଛି। ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି।

ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ ଅନୁସାରେ, କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ବିନା ଅନୁମତିରେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଜରୁରୀ ପରିସ୍ଥିତିରେ ତୁରନ୍ତ ସେବା ଯୋଗାଇଦେବା ଏବଂ ବାତ୍ୟା ମୁକାବିଲାରେ ପ୍ରଶାସନିକ ସମନ୍ୱୟ ରକ୍ଷା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ସେପଟେ ବଙ୍ଗୋପସାଗରରେ ବାତ୍ୟା ‘ଅକଭାନ’ ଅଧିକ ଶକ୍ତିଶାଳୀ ହୋଇଛି। ଭାରତୀୟ ପାଣିପାଗ ବିଭାଗର ନଭେମ୍ବର ୧୮ ତାରିଖ ସକାଳର ସୂଚନା ଅନୁସାରେ, ବାତ୍ୟା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଗୋପାଳପୁରଠାରୁ ପ୍ରାୟ ୭୩୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ଥିଲା।

ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ଆଶଙ୍କା ରହିଛି। ଏଥିପାଇଁ ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ଜରୁରୀକାଳୀନ ସେବା, ଉଦ୍ଧାର କାର୍ଯ୍ୟ ଓ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ସଜାଗ ରହିବା ଆବଶ୍ୟକ।

ବିଶେଷକରି ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ଗଛ ଉପୁଡ଼ିବା ଓ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବା ଭଳି ପରିସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିପାରେ।

ତେବେ ବାତ୍ୟାର ଗତିପଥ କିଭଳି ରହିବ ଓ ଖୋର୍ଦ୍ଧା ଜିଲ୍ଲା ଉପରେ ଏହାର କେତେ ପ୍ରଭାବ ପଡ଼ିବ, ସେନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରହିଛି।