ଏଥର କଟକ ବାଲିଯାତ୍ରାରେ ହେବ ଐତିହାସିକ ଆୟୋଜନ। ରୌପ୍ୟ ନଗରୀ କଟକକୁ ଆସିବେ ଦେଶର ପ୍ରଥମ ନାଗରିକ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରେ ଉଦ୍ଘାଟିତ ହେବ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା। ଆସନ୍ତା ନଭେମ୍ବର ୨୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଏହି ଐତିହାସିକ ମହୋତ୍ସବର ଆନୁଷ୍ଠାନିକ ଉଦ୍ଘାଟନ କରିବେ। ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି କଟକ ସହର। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା ଏବଂ ଅତିଥିଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଗସ୍ତ ପାଇଁ ସମ୍ମତି ମିଳିଥିବା ଜଣାପଡ଼ିଛି।
ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ବାଲିଯାତ୍ରା। ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ଏହି ବିଶାଳ ମହୋତ୍ସବ। ଏଥିପାଇଁ ୫୦୦ରୁ ଅଧିକ ପ୍ଲଟ୍ ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳଙ୍କ ଯୋଗଦାନ କାର୍ଯ୍ୟକ୍ରମ ମଧ୍ୟ ରହିଛି।
ପ୍ରାଚୀନ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥାଏ କଟକ ବାଲିଯାତ୍ରା। ଅତୀତରେ ଓଡ଼ିଆ ସାଧବପୁଅମାନେ ବୋଇତରେ ବାଲି, ଜାଭା ଓ ସୁମାତ୍ରା ଭଳି ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସେହି ଐତିହାସିକ ସ୍ମୃତିକୁ ବଞ୍ଚାଇ ରଖିଛି ଏହି ମହୋତ୍ସବ।
ଏଥର ବାଲିଯାତ୍ରାରେ ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ, ହସ୍ତତନ୍ତ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଦର୍ଶକଙ୍କ ପାଇଁ ଆକର୍ଷଣ ସାଜିବ। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପାର୍କିଂ, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ତେବେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଚଳିତବର୍ଷର ବାଲିଯାତ୍ରାକୁ ଏକ ନୂଆ ପରିଚୟ ଦେବା ସହ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ଜାତୀୟ ସ୍ତରରେ ଆହୁରି ପ୍ରଚାରିତ କରିବ ବୋଲି ଆଶା କରାଯାଉଛି।