ଦୁବାଇକୁ ସିଧାସଖଳ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାଜଧାନୀ ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ଉଡ଼ିଲା ବିମାନ । ଓଡ଼ିଶାରୁ ଡାଇରେକ୍ଟ ବିଦେଶକୁ ଯାତ୍ରା କରିପାରିବେ । ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ । ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ୍ ସହ ମୋଟ ୧୭୦ ଜଣ ଯାତ୍ରୀ ଯାତ୍ରା କରିଥିବା ସୂଚନା ମିଳିଛି । ଯାତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ମିଶନ ଶକ୍ତିର ବହୁ ସଦସ୍ୟା,ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତଙ୍କ ସମେତ କର୍ମଜୀବୀ । ଇଣ୍ଡିଗୋ ଏୟାରଲାଇନ୍ସର ୧୮୦ ସିଟ୍ ବିଶିଷ୍ଟ ୩୨୦ ଏୟାରବସ୍, ସପ୍ତାହରେ ତିନି ଦିନ ଉଡ଼ାଣ ଭରିବ । ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ ଏହି ବିମାନ । ଦୁବାଇକୁ ଯିବାଆସିବା କରିବା ପାଇଁ ଟିକେଟ୍ ମୂଲ୍ୟ ୨୦ ହଜାର ଟଙ୍କା ରହିଛି ।

ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି,ଉତ୍ପାଦନ ଓ ପର୍ଯ୍ୟଟନର ବିକାଶ ଘଟିବ । ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ଏବେ ରାଜଧାନୀରୁ ବିଦେଶକୁ ବିମାନ ସେବା ଆରମ୍ଭ ହେବା ସରକାରଙ୍କ ପାଇଁ ବଡ଼ ସଫଳତା ।

କେବଳ ଓଡ଼ିଶା ପାଇଁ ନୁହେଁ ବିଦେଶରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହୋଇପାରିବେ । ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ରାଜ୍ୟ ସରକାର ରାଜ୍ୟବାସୀଙ୍କ ସୁବିଧା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଉଛନ୍ତି ଯାହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢୁଥିବା ବେଳେ ନବୀନଙ୍କ ଉପରେ ସମସ୍ତେ ଭରସା ବି ରଖୁଛନ୍ତି ।

Leave a Reply

Your email address will not be published. Required fields are marked *