କୂଅରୁ ମାଈ ହାତୀ ଉଦ୍ଧାରରେ ବନ ବିଭାଗ ସଫଳ

elephant rescued from well
elephant rescued from well under champua forest range

କୂଅରୁ ମାଈ ହାତୀ ଉଦ୍ଧାର ସଫଳ। ବନ ବିଭାଗର ବହୁ କସରତ ପରେ ପରିତ୍ୟକ୍ତ କୂଅରୁ ମାଈ ହାତୀକୁ ଉଦ୍ଧାର କରିଛି ବନ ବିଭାଗ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଟୁଣଟୁଣାଠାରେ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚାର ପରିତ୍ୟକ୍ତ କୂଅ ଭିତରରେ ମାଈ ହାତୀଟି ପଡିଯାଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ହାତୀକୁ ଉଦ୍ଧାର କରିଥିଲା। ହାତୀଟି କୂଅରୁ ବାହାରିବା ପରେ ପାଖ ଜଙ୍ଗଲକୁ ଚାଲିଯାଇଥିବା କେନ୍ଦୁଝର ଡିଏଫଓ  ଏଚଡ଼ି ଧନରାଜ  ସୂଚନା ଦେଇଛନ୍ତି । କୂଅରେ ପଡିଥିଲେ ମଧ୍ୟ ହାତୀଟି ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ଗତ ରାତିରେ ୨୪ ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ଏହି ୨୪ଟିକିଆ  ହାତୀପଲରେ ୯ଟି ଦନ୍ତା, ୬ଟି ମାଈ ଓ ୯ଟି ଛୁଆ ହାତୀ ରହିଥିଲେ । ତେବେ ଗତ ବିଳମ୍ବିତ ରାତିରେ ହାତୀପଲ ଟୁଣଟୁଣା ଗାଁ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚା ଦେଇ ଯାଉଥିଲାବେଳେ, ସେମାନଙ୍କ ମଧ୍ୟରୁ ଏକ ବୟସ୍କା ମାଈ ହାତୀ ୧୦ ଫୁଟ ଗଭୀର ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା । ତାପରେ ହାତୀପଲ ତା’କୁ ସେଠାରେ ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ ।

ଭୋର ସମୟରେ ବନ ବିଭାଗର ନାଇଟ୍ ପାଟ୍ରୋଲିଂ ଦଳ ସୂଚନା ପାଇଥିଲେ । ବନପାଳ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀ ସେଠାରେ ପହଞ୍ଚି JCB ଦ୍ୱାରା କୂଅର ଗୋଟିଏ ପାର୍ଶ୍ୱରେ ଖୋଳିବା ପରେ ହାତୀଟି  ସଫଳତାର ସହିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ହାତୀ ପଲଙ୍କ ଚଳପ୍ରଚଳ ହେଉଥିବା ବେଳେ ଏଭଳି ପରିତ୍ୟକ୍ତ କୂଅ କି ଖାଲ ବନ ବିଭାଗ ନଜରରେ ନପଡିବା ଆଲୋଚନାର ବିଷୟ ହୋଇଛି ।       

               

Leave a Reply

Your email address will not be published. Required fields are marked *