Category: ମୁଖ୍ୟ ଖବର

  • ରାଜଧାନୀ ରାସ୍ତା ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

    ରାଜଧାନୀ ରାସ୍ତା ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

    ପୁଣି ରାଜଧାନୀ ରାସ୍ତାରେ ରକ୍ତର ହୋରି। କିଛିଦିନର ବ୍ୟବଧାନ ପରେ ପୁଣି  ଭୁବନେଶ୍ୱରରେ ବୁଲିଲା ଖଣ୍ଡା।  ପୂର୍ବ ବିବାଦକୁ ନେଇ ପଡୋଶୀ ହାଣିଦେଲା ପଡୋଶୀଙ୍କୁ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳୁ ଏହି ବିଭତ୍ସ ହତ୍ୟା କରାଯାଇଛି। ରାଜଧାନୀର ୟୁନିଟ-୧ ଜିଇଡି ବସ୍ତିରେ ରହୁଥିବା ସୁଶାନ୍ତ ନାୟକଙ୍କର ମୃତ୍ୟୁ ଘଟିଛି । ପୋଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୋଲିସ ତାକୁ ଧରିବାକୁ ଖାନତଲାସ ଜାରି ରଖିଛି।

    ସୂଚନା ଅନୁସାରେ, ନୟାଗଡ ଅଞ୍ଚଳର ସୁଶାନ୍ତ ନାୟକ ଓ ତାଙ୍କ ପରିବାର ୟୁନିଟ-୧ ଜିଇଡି ବସ୍ତିରେ ରହିଆସୁଥିଲେ । ସେହି ବସ୍ତିରେ ରହୁଥିବା ସୁଜିତଙ୍କ ପରିବାର ସହ ଗତକିଛିଦିନ ହେଲା ତାଙ୍କର ବିବାଦ ଲାଗି ରହିଥିଲା । ଗତମାସରେ ସୁଶାନ୍ତଙ୍କ ଝିଆରୀଙ୍କୁ ସୁଜିତ ଓ ତାର ସହଯୋଗୀମାନେ ରାସ୍ତାରେ ଟଣାଓଟରା କରିବା ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଥିଲା । ଥାନାରେ ଅଭିଯୋଗ ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ସୁଜିତ। ସୁଶାନ୍ତଙ୍କୁ ହତ୍ୟାକରିବାକୁ ଯୋଜନା କରିଥିଲା।

    ସୁଶାନ୍ତଙ୍କ ପତ୍ନୀ ବିଏମସିରେ କାମ କରନ୍ତି ଓ ପ୍ରତିଦିନ ସକାଳୁ ସୁଶାନ୍ତ ତାଙ୍କୁ ନେଇ ଛାଡିବାକୁ ଯାଇଥାନ୍ତି। ଏସମ୍ପର୍କରେ ଅଭିଯୁକ୍ତ ଜାଣିଥିଲା। ଆଜି ଭୋର ୪ଟାରେ ସୁଶାନ୍ତ ସବୁ ଦିନ ପରି  ୪ନମ୍ବରରେ ପତ୍ନୀଙ୍କୁ ଛାଡିବାକୁ ଯାଇଥିଲେ। ୪ ନମ୍ବରରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ସୁଜିତ, ସୁବାଶ, ଟିକିଲି, ବିଶାଲ, ସାନୁ ତାଙ୍କୁ ଅଟକାଇ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଓ ଖଣ୍ଡା, ଭୂଜାଲି ପରି ବିଭିନ୍ନ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାଟି ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

     ସେପଟେ ଉଭୟ ମୃତକ ଓ ଅଭିଯୁକ୍ତଙ୍କ ଘର ନୟାଗଡରେ। ସେମାନେ ଭୁବନେଶ୍ୱରର ଏହି ପୁରୁଣା ବସ୍ତିରେ ଦୀର୍ଘ ବର୍ଷ ଧରି ରହିଆସୁଥିଲେ।

  • ଜମ୍ମୁକାଶ୍ମୀର କିସ୍ତବାଡ଼ରେ ଖାଇକୁ ଗଡ଼ିଲା ଗାଡ଼ି, ୭ ମୃତ

    ଜମ୍ମୁକାଶ୍ମୀର କିସ୍ତବାଡ଼ରେ ଖାଇକୁ ଗଡ଼ିଲା ଗାଡ଼ି, ୭ ମୃତ

    ଜମ୍ମୁକାଶ୍ମୀର କିସ୍ତବାଡ଼ ଅଞ୍ଚଳରେ ଦୁର୍ଘଟଣା । ଗୋଟାଏ ଗାଡ଼ି ଗଭୀର ଖାଇ ଭିତରକୁ ଗଡ଼ିଯିବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ।

    ଦଙ୍ଗଦୁରୁ ଜଳଭଣ୍ଡାର ପ୍ରକଳ୍ପର ୧୦ ଜଣ ଶ୍ରମିକଙ୍କୁ ନେଇ ଗାଡ଼ିଟି ଯାଉଥିବା ବେଳେ ଜଳଭଣ୍ଡାର କ୍ଷେତ୍ର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପତ୍ୟକା ଉପରୁ ଗୋଟିଏ ଗାଡ଼ି ଖସିଯାଇଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ପୋଲିସ କହିଛି । ଗାଡ଼ି ଦୁର୍ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, କିସ୍ତବାଡ଼ ଜିଲ୍ଲାପାଳ ଡକ୍ଟର ଦେବାଂଶ ଯାଦବଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ସବୁ ପ୍ରକାର ସାହାଯ୍ୟ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

    ଅଧିକ ଉଚ୍ଚରୁ ଗାଡ଼ିଟି ଖସିଯିବାରୁ ୭ ଜଣଙ୍କ ଜୀବନ ଯାଇଛି । ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଆବଶ୍ୟକପଡ଼ିଲେ କିସ୍ତବାଡ଼ ଜିଲ୍ଲା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଘଟଣା କାହିଁକି ଓ କେମିତି ଘଟିଲା ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

  • ଶିବ ମନ୍ଦିରରେ ଗଞ୍ଜେଇ ମନା

    ଶିବ ମନ୍ଦିରରେ ଗଞ୍ଜେଇ ମନା

    ଶୈବ ପୀଠ ଚିଲମ ଉପରେ ଲାଗିଲା ରୋକ। ଆଉ ଶିବ ମନ୍ଦିରରେ ଉଡିବ ନାହିଁ ଗଞ୍ଜେଇ ଧୂଆଁ । ଏହି ଚଳଣି ଉପରେ ରୋକ ଲଗାଇବାକୁ ରାଜ୍ୟ ସରାକର ପକ୍ଷରୁ ଅଧ୍ୟାଦେଶ ଜାରି ହୋଇଛି। ଅନନ୍ତ ବଳିଆ ଟ୍ରଷ୍ଚ ପକ୍ଷରୁ ଶିବ ମନ୍ଦିରରେ ହେଉଥିବା ଗଞ୍ଜେଇ ଅପବ୍ୟବହାର ବନ୍ଦ ପାଇଁ  ହୋଇଥିବା ଅନୁରୋଧ ସ୍ୱରୂପ ଏପରି ପ୍ରତିବନ୍ଧକ ଲଗାଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରିଛି ରାଜ୍ୟ ସଂସ୍କୃତି ବିଭାଗ।

    ସନ୍ଧ୍ୟା ହେଲେ ଶିବ ମନ୍ଦିର ପରିସରରେ ଜମେ ଗଞ୍ଜଡଙ୍କ ଭିଡ। ଗଞ୍ଜେଇ ଧୂଆଁ ଓ ଗନ୍ଧରେ ଭରିଯାଏ ଆଖପାଖ ଅଞ୍ଚଳ । ଫାଟିପଡେ ନାକ। କିନ୍ତୁ ଗଞ୍ଜେଇ ସେବନକାରୀଙ୍କ ଯୁକ୍ତି, ଦେବଦେବ ମହାଦେବ କୈଳାଶ ପର୍ବତ ଛାଡି ଓହ୍ଲାଇ ଆସନ୍ତି ସେଠାକୁ । ଖାଲି ସେତିକି ନୁହେଁ, ଗଞ୍ଜେଇ ଶିବଙ୍କର ଅତି ପ୍ରିୟ। ତାଙ୍କ ଭକ୍ତ ଭାବେ ତାଙ୍କ ପଥ ଆପଣାଇ ମହାଦେବଙ୍କୁ ଖୁସି କରୁଛନ୍ତି ସେମାନେ। ଏହା ଭୋଳା ଶଙ୍କରଙ୍କ ପ୍ରତି ସେମାନଙ୍କ ଭକ୍ତି ଓ ସମର୍ପଣର ନିଦର୍ଶନ ବୋଲି କୁହାଯାଇଥାଏ।

    ହେଲେ ଧର୍ମ, ସଂସ୍କୃତି ଓ ପରମ୍ପରା ନାମରେ ମନ୍ଦିର ପରି ପବିତ୍ର ସ୍ଥାନରେ ହେଉଥିବା ଗଞ୍ଜେଇ ପରି ନିଶା ସାମଗ୍ରୀର ଖୁଲମଖୁଲା ପ୍ରଚଳନକୁ ବିରୋଧ କରିଥିଲା ଅନନ୍ତ ବଳିଆ ଟ୍ରଷ୍ଟ। ସଂସ୍କୃତି ନାମରେ ଏହା ଏକ ଅପସଂସ୍କୃତି ଓ ନିଶାର ପ୍ରଚଳନ ବୋଲି ଯୁକ୍ତି ବାଢିଥିଲା ଟ୍ରଷ୍ଟ। ଯାହାକୁ ନେଇ ସଂସ୍କୃତି ବିଭାଗ ପକ୍ଷରୁ  ମନ୍ଦିରରେ ଗଞ୍ଜେଇ ଅପବ୍ୟବହାର ଉପରେ ଲଗାଯାଇଛି ରୋକ। କିନ୍ତୁ ଶିବଙ୍କ ନିକଟରେ ହେଉଥିବା ଗଞ୍ଜେଇ ଭୋଗ  ଉପରେ ନାହିଁ ପ୍ରତିବନ୍ଧକ। ପ୍ରତୀକତ୍ମକଭାବେ ହେବ ଗଞ୍ଜେଇ ଭୋଗ।

    ଅନ୍ୟପଟରେ ବିଭାଗର ଏପରି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ଅନେକ। ବିଜେଡି ନେତା ତଥାଗତ ଶତପଥୀ ଏହାକୁ ଓଡିଆ ସଂସ୍କୃତି ବିରୋଧୀ କହିବା ସହ ଅଧିକାରୀମାନେ ଏହି ସଂସ୍କୃତି ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।

  • ବୌଦ୍ଧ: ଟ୍ରକ୍-ବୋଲେରୋ ଧକ୍କା, ଗଲା ୨ ଜୀବନ

    ବୌଦ୍ଧ: ଟ୍ରକ୍-ବୋଲେରୋ ଧକ୍କା, ଗଲା ୨ ଜୀବନ

    ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର 57ନଂ ଜାତୀୟ ରାଜପଥ କମଲପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗଲା ୨ ଜଣଙ୍କ ଜୀବନ ।

    ଟ୍ରକ୍ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ବାଉଁଶୁଣି ଥାନା ପୋଲିସ କାର୍ଯ୍ୟାଳୟର ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଜଗନ୍ନାଥ ମେହେର । ଅନ୍ୟ ଜଣେ ବୋଲେରୋ ଡ୍ରାଇଭର ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହ ବାଉଁଶୁଣି ଥାନା ପୋଲିସ କାର୍ଯ୍ୟାଳୟର ଏଏସଆଇ ଏବଂ କନଷ୍ଟେବଲ ଗୁରୁତର ଅଛନ୍ତି । ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

    ଆଜି ଭୋର୍ ସମୟରେ ବାଉଁଶୁଣୀ ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ରେସ୍କ୍ୟୁ ଅପରେସନ୍ ସାରି ବୋଲେରୋରେ ଥାନାକୁ ଫେରୁଥିଲେ । ଏହି ସମୟରେ ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଲପୁର ଛକରେ ସୋନପୁର ଆଡୁ ଆସୁଥିଲା ଏକ ଟ୍ରକ୍ । କମଲପୁର ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବୋଲେରୋଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣେ ପୋଲିସ୍ ହୋମଗାର୍ଡ ଓ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଆଉ ମାତ୍ର ୫ କିଲୋମିଟର ବାଟ ଯାଇଥିଲେ ସମସ୍ତେ ବାଉଁଶୁଣି ଥାନାରେ ପହଞ୍ଚିଥାନ୍ତେ । ହେଲେ ବିଧିର ବିଧାନ କିନ୍ତୁ ଆଉ କିଛି ଥିଲା । ଘଟଣାସ୍ଥଳରେ ହିଁ ୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପୋଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି ।

  • ଆନ୍ଦୋଳନକୁ ପୂରିଲା ଏକ ମାସ, ତଥାପି ପ୍ରଶାସନର ନିଦ ଭାଙ୍ଗୁନି, ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

    ଆନ୍ଦୋଳନକୁ ପୂରିଲା ଏକ ମାସ, ତଥାପି ପ୍ରଶାସନର ନିଦ ଭାଙ୍ଗୁନି, ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

    ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରି ମଙ୍ଗଳବାର ରେସଲର ମାନେ ଏକ ମହମବତୀ ପଦଯାତ୍ରା କରିଥିଲେ । ଏହି ମହମବତୀ ପଦଯାତ୍ରା ଜନ୍ତର ମନ୍ତ୍ରରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କରାଯାଇଥିଲା । ଏହି ପଦଯାତ୍ରାରେ ଖାପ ପ୍ରତିନିଧି ମାନେ ମଧ୍ୟ ଭାଗ ନେଇଥିଲେ । କୁସ୍ତିଯୋଦ୍ଧା ମାନଙ୍କୁ ସମର୍ଥନ କରିବା ପାଇଁ ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମଧ୍ୟ ଇଣ୍ଡିଆ ଗେଟରେ ପହଞ୍ଚିଥିଲେ ।

    ମହମବତୀ ପଦଯାତ୍ରାରେ କୃଷକ ନେତା ରାକେଶ ଟିକାୟତ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ, ଆମ ଭଉଣୀଙ୍କ ସମ୍ମାନ ଆମ ପାଇଁ ଜୀବନ ଠାରୁ ଅଧିକ । ଯେପର୍ଯ୍ୟନ୍ତ ଦେଶର ଝଅମାନେ ନ୍ୟାୟ ନପାଇଛନ୍ତି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଅନେକ ଲୋକ ଏହି ଆନ୍ଦୋଳନକୁ ବଦନାମ କରିବାକୁ କାର୍ଯ୍ୟ କରୁଛନ୍ତି, ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହିପରି ଆମକୁ ସମର୍ଥନ କରନ୍ତୁ ।

    ସେ କହିଛନ୍ତି ଯେ, ଭାରତକୁ ଭଲ ପାଉଥିବା ସମସ୍ତ ଧର୍ମ ଏବଂ ଜାତିର ଲୋକମାନେ ସରକାରଙ୍କୁ ଏହି ପ୍ରଶ୍ନ ପଚାରିବା ଉଚିତ ଯେ, ଆମର ଚାମ୍ପିଅନ ମାନେ କାହିଁକି ଏକ ମାସ ହେଲାଣି ରାସ୍ତା ଉପରେ ବସିଛନ୍ତି । ସେମାନଙ୍କର ସ୍ଥାନ ରାସ୍ତା ନୁହେଁ ବରଂ ଅଭ୍ୟାସ ସ୍ଥାନ ହେବା ଦରକାର । ରେସଲର ସାକ୍ଷୀ ମଲିକ କହିଛନ୍ତି ଯେ, ଏହା ହେଉଛି ଦେଶର ଝିଅ ମାନଙ୍କର ଲଢେଇ ଯେଉଁଥିରେ ଆପଣ ସମସ୍ତଙ୍କୁ ଆମକୁ ସମର୍ଥନ କରିବାକୁ ପଡିବ । ଯାହା ଦ୍ବାରା ଆମେ ନ୍ୟାୟ ପାଇପାରିବା । ଜନ୍ତର ମନ୍ତରରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ହଜାର ହଜାର ଲୋକ ନ୍ୟାୟ ପାଇଁ ପଦଯାତ୍ରା ଆରମ୍ଭ କରିଥିଲେ । ଆଜି ଆମର ଏହି ଆନ୍ଦୋଳନକୁ ଏକ ମାସ ପୂରିଛି । କିନ୍ତୁ ଏପର୍ଯ୍ୟନ୍ତ ଆମକୁ କୌଣସି ନ୍ୟାୟ ମିଳିଲା ପରି ଲାଗୁନାହିଁ ।

  • ଧରିତ୍ରୀ ପୃଷ୍ଠକୁ ଜହ୍ନ ଆଣିବ ଦୁବାଇ

    ଧରିତ୍ରୀ ପୃଷ୍ଠକୁ ଜହ୍ନ ଆଣିବ ଦୁବାଇ

    ଏକବିଂଶ ଶତାବ୍ଦୀରେ ୨୦୨୧ ମସିହାଟି ବେଜିଂ ପାଇଁ ସବୁଠାରୁ ସଫଳ ବର୍ଷ ଭାବେ ପରିଗଣିତ ହୋଇଛି । ଏଥିସହିତ ଚୀନର ସ୍ପେସ୍ ପ୍ରୋଗ୍ରାମରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଚୀନ ବର୍ତ୍ତମାନ ଏକ କୃତ୍ରିମ ଚନ୍ଦ୍ର ନିର୍ମାଣ କରିଛି, ଯାହା ନୂତନ ଜ୍ଞାନକୌଶଳ ତଥା ଭବିଷ୍ୟତ ମିଶନର ପରୀକ୍ଷା ନିମନ୍ତେ ବୈଜ୍ଞାନିକଙ୍କ ପାଇଁ ଚନ୍ଦ୍ର ଅବସ୍ଥା ଏବଂ ପର୍ଯାବରଣକୁ ଅନୁକରଣ କରିବ ।

    ଆଉ ଏବେ ଚୀନ ରାସ୍ତାରେ ପାଦ ଦେଇଛି ଦୁବାଇ । ଦୁବାଇ ଏବେ ଧରିତ୍ରୀ ପୃଷ୍ଠକୁ ଚାନ୍ଦକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଦୁବାଇ ଆଣୁଥିବା ଚାନ୍ଦ ଅସଲି ନୁହେଁ, ପରନ୍ତୁ କୃତ୍ରିମ ମୁନ୍ ରିସର୍ଟ ପ୍ରୋଜେକ୍ଟ । ଏହି ଚାନ୍ଦ କୃତ୍ରିମ ହୋଇଥିଲେ ସୁଦ୍ଧା ଏହାକୁ ତିଆରି କରୁଥିବା ବ୍ୟକ୍ତି କହିଛନ୍ତି ଏହା ଦେଖିବାକୁ ଅବିକଳ ଚାନ୍ଦ ପରି ହେବ । ଏହି ନୂଆ ଚାନ୍ଦ ତିଆରି କରିବାର ଦାୟିତ୍ବ କାନାଡାର ଆର୍କିଟେକ୍ଟ ଆଣ୍ଡ କମ୍ପାନୀକୁ ଦିଆଯାଇଛି । ପାଞ୍ଚ ଆରବ ଡଲାର ବ୍ୟୟରେ ଏହା ନିର୍ମାଣ ହେବାର ରହିଛି । ଯଦିଓ ଦୁବାଇର ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏହି ଟଙ୍କା କିଛି ନୁହେଁ । କାନାଡାରର ମାଇକେଲ ହେଣ୍ଡରସନ ମୋଟ ୯୦୦ ଫୁଟର ଚାନ୍ଦକୁ ସମ୍ପୂର୍ଣ୍ଣ ରୀପ ଦେବେ ।

    ସମସ୍ତ ଉନ୍ନତ ସୁବିଧା ସହିତ ଏହି ଚନ୍ଦ୍ର ଆକୃତିର ମେଗା-ରିସର୍ଟରେ ଏକ ନାଇଟ୍ କ୍ଲବ୍ ଏବଂ ରିସଲାକ୍ସ ସେଣ୍ଟର ମଧ୍ୟ ନିର୍ମାଣ କରାଯିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ଅତିଥିଙ୍କୁ ଆକର୍ଷିତ କରିବାରେ ଚନ୍ଦ୍ର ରିସର୍ଟ ସଫଳ ହେବ ବୋଲି ଆଶା କରାଯାଉଛି । ଏଥିପାଇଁ ରିସୋର୍ଟର ଅଟ୍ଟାଳିକାକୁ ଏକ ବଡ଼ ଆକାର ଦିଆଯିବ । ଏହି ରିସୋର୍ଟରେ ଅତିଥି ମାନେ ଅତାରଣ କରି ଚନ୍ଦ୍ରର ପରିକ୍ରମଣା କରିବା ସହ ସମସ୍ତ ଦୃଶ୍ୟକୁ ଉପଭୋଗ କରିପାରିବେ । ଚନ୍ଦ୍ର ଶଟଲ ରିସର୍ଟ ଚାରିପାଖରେ ଥିବା ଏକ ଟ୍ରାକରେ ଲୋକଙ୍କୁ ବୁଲାଇବାରେ ସକ୍ଷମ ହେବ । ଏହାର ଟ୍ରାକ୍ ରିସର୍ଟ ଗଠନର ମଧ୍ୟଭାଗରେ ଏକ ବୃତ୍ତାକାର ଆକାରରେ ତିଆରି ହେବ ।

    ୧୦୦ ଫୁଟ ଉଚ୍ଚ କୋଠା ଉପରେ ଚନ୍ଦ୍ର ରିସର୍ଟ ନିର୍ମାଣ କରାଯିବ । ଉଲ୍ଲେଖନୀୟ ବିଷୟ ହେଉଛି, ଦୁବାଇ ଦୁନିଆର ଉଚ୍ଚତମ କୋଠା ଏବଂ ଅନ୍ୟାନ୍ୟ ସୁନ୍ଦର ସ୍ଥାପତ୍ୟ ଆଉ ଚମତ୍କାରିତା ପାଇଁ ଜଣାଶୁଣା । ବୁର୍ଜ ଖଲିଫା ପରି ଉଚ୍ଚ ଅଟ୍ଟାଳିକା ବର୍ଷ ବର୍ଷ ଧରି ଲୋକଙ୍କୁ ଆକର୍ଷିତ କରିଆସୁଛି । ଏହି ପ୍ରକଳ୍ପ ସମାପ୍ତ ହେବା ପରେ, ଲୋକମାନେ ଏହି ଚନ୍ଦ୍ରରେ ବସି ନିଜର ଇଚ୍ଛା ପୂରଣ କରିବାକୁ ସକ୍ଷମ ହେବେ, ଯାହା ପୂର୍ବରୁ ପରିକଳ୍ପନାର ବାହାରେ ଥିଲା।

  • ଇଶିତା କିଶୋର ୟୁପିଏସସି ପରୀକ୍ଷା ୨୦୨୨ ଟପର୍

    ଇଶିତା କିଶୋର ୟୁପିଏସସି ପରୀକ୍ଷା ୨୦୨୨ ଟପର୍

    ୟୁପିଏସସି ପରୀକ୍ଷାର ଟପର ତାଲିକାରେ ଛାତ୍ରୀଙ୍କ ରାଜ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଇଶିତା କିଶୋର ସଦ୍ୟତମ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ  ଗରିମା ଲୋହିଆ, ଉମା ହରତି ଏନ ଏବଂ ସ୍ମୃତି ମିଶ୍ର ରହିଛନ୍ତି। ଶୀର୍ଷ ୨୫ ଜଣଙ୍କ ମଧ୍ୟରେ ୧୪ ମହିଳା ଓ ୧୧ ପୁରୁଷ ରହିଛନ୍ତି। ତେବେ ଚଳିତ ଥର ମୋଟ ୯୩୩ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୬୧୩ ଜଣ ପୁରୁଷ ଓ ୩୨୦ ଜଣ ମହିଳା ରହିଛନ୍ତି।

    ଆଜି ୟୁପିଏସସି ପରୀକ୍ଷା ୨୦୨୨ ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କେନ୍ଦ୍ର  ମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି କହିଛନ୍ତି କି, ନାରୀ ଶକ୍ତି ତାର ସର୍ବୋତ୍କୃଷ୍ଟ ସ୍ଥାନରେ ରହିଛି।  ମନ୍ତ୍ରୀ ତିନି ଟପର,  ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ୍ କମର୍ସର ଅର୍ଥନୀତି ସ୍ନାତକ ଇସିତା କିଶୋର, ଗରିମା ଲୋହିଆ ଓ ଉମା ହରତି ଏନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ  ପାଇଁ ଏହା ଏକ ସେଲିବ୍ରେସନର ଦିନ ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ମନ୍ତ୍ରୀ ସିଂ ଟୁଇଟରେ ଉତ୍ତୀର୍ଣ୍ଣ ତାଲିକା ପୋଷ୍ଟ କରିଛନ୍ତି।

    ନିଜର ଫଳାଫଳକୁ ନେଇ ଇସିତା କହିଛନ୍ତି ଯେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କ ବିଶ୍ୱାସ ଥିଲା,  କିନ୍ତୁ ମେରିଟ୍ ତାଲିକାରେ ଶୀର୍ଷରେ ରହିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁଁ ଭାରତୀୟ ପ୍ରଶାସନ ସେବା (IAS) ରେ ଯୋଗ ଦେଇ ଦେଶର ସେବା କରିବାକୁ ଚାହୁଁଛି। ମୁଁ ବହୁତ ଖୁସି ବୋଲି  କହିଛନ୍ତି ଇସିତା।

    ୟୁପିଏସସି ୨୦୨୨ ପରୀକ୍ଷାରେ ଦ୍ୱିତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଗରିମା ଲୋହିୟା ଏବଂ ସ୍ମୃତି ମିଶ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍ନାତକ। ତୃତୀୟ ସ୍ଥାନରେ ଥିବା ହରତି ଏନ, ଆଇଆଇଟି-ହାଇଦ୍ରାବାଦରୁ ଜଣେ ଇଞ୍ଜିନିୟରିଂ ସ୍ନାତକ। ଲୋହିଆ କିରୋରିମାଲ କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିବାବେଳେ ମିଶ୍ର ମିରାଣ୍ଡା ହାଉସ୍ କଲେଜରୁ ବିଏସ୍ସି କରିଛନ୍ତି। ୟୁପିଏସସି ପରୀକ୍ଷା ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈ ଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍) ଏବଂ ଅନ୍ୟାନ୍ୟ ସେବାର ଅଧିକାରୀ ଚୟନ କରିଥାଏ|

  • କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ନଂ କାଞ୍ଜିପାଣି ଥାନା ସମ୍ମୁଖରେ ଜଳିଗଲା କାର୍ । ଗାଡ଼ିରେ ଥିବା ଦୁଇ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଦୁହେଁ ଏବେ ସୁରକ୍ଷିତ ଥିବା ଜଣାପଡ଼ିଛି । ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

    ସୂଚନା ଅନୁଯାୟୀ ଅନୁଗୁଳରୁ ଏକ OD19E4444 କାର୍, କେନ୍ଦୁଝର ଅଭିମୁଖେ ଆସୁଥିଲା । କାଞ୍ଜିପାଣି ଥାନା ନିକଟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ ଡ୍ରାଇଭର । ସେଠାରୁ କେନ୍ଦୁ କିଣୁଥିବା ବେଳେ ହଠାତ୍ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । ଗାଡ଼ିଟିରେ ନିଆଁ ଲାଗିଥିବା ବେଳେ ନିଆଁ ଲିଭାଇବା ଉଦ୍ୟମ ଫେଲ୍ ମାରିଥିଲା । ସ୍ଥାନୀୟ ଲୋକେ ବି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଗାଡ଼ିଟି ଜଳୁଥିବା ବେଳେ ତା ନିକଟକୁ ଯିବାକୁ କେହି ବି ସାହସ କରିନଥିଲେ ।
    କାରରେ ନିଆଁ ଲାଗିଥିବା ନେଇ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

  • ଅଳଙ୍କାର ବଜାରକୁ ବେଲଗାମ କରୁଛି ୨୦୦୦ ନୋଟ!

    ଅଳଙ୍କାର ବଜାରକୁ ବେଲଗାମ କରୁଛି ୨୦୦୦ ନୋଟ!

    ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ୨୦୦୦ ଟଙ୍କା ପ୍ରତ୍ୟାହାର ନିଷ୍ପତ୍ତି ପରେ ଅଳଙ୍କାର ବଜାରରେ ନିଆଁ ଲାଗିଯାଇଛି। ଦେଶର ସୁନା, ରୁପା କିଣା ସମ୍ୱନ୍ଧିତ ଇନକ୍ୱାରୀ ବଢିଯାଇଛି। ଅଳଙ୍କାର କାରବାର ସଂସ୍ଥା ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲାରୀ ଡୋମେଷ୍ଟିକ କାଉନସିଲ ବା ଜେଜେସି କହିଛି କି, ୨୦୧୬ର ନୋଟବନ୍ଦୀ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଥିଲା, ତାର ବିପରିତ ରହିଛି ସାମ୍ପ୍ରତିକ ସ୍ଥିତି। ବର୍ତ୍ତମାନ ଲୋକଙ୍କ ଭିତରେ ସେହି ଆତଙ୍କର ସ୍ଥିତି ନାହିଁ।

    ଅନ୍ୟ ପଟରେ କିଛି ଅଳଙ୍କାର ନିର୍ମାତା ସୁନା  କିଣିବା ଉପରେ ୫-୧୦ ପ୍ରତିଶତ ପ୍ରିମିୟମ ନେବା ଆରମ୍ଭ କରିଦେଇଛନ୍ତି। ଫଳରେ ଏହି ହଳଦିଆ ଧାତୁର ଦର ୧୦ ଗ୍ରାମ ପ୍ରତି ୬୬ହଜାର  ହୋଇଯାଇଛି। ବର୍ତ୍ତମାନ ଦେଶରେ ୧୦ ଗ୍ରାମ ସୁନା ଦର ୬୦,୨୦୦ ଟଙ୍କା ରହଛି। ତେବେ ଲୋକଙ୍କ ଉତ୍ସୁକତାକୁ ଦେଖି ସୁନା ଦର ବୃଦ୍ଧି ପାଇବା ସମ୍ଭାବନା ଦେଖାଦେଇଛି। ତେବେ ଏହା ସ୍ୱଳ୍ପ ଦିନ ପାଇଁ ରହିବ ବୋଲି ଜେଜେସି ଅଧ୍ୟକ୍ଷ ସଞ୍ଜମ ମେହରା କହିଛନ୍ତି।

    ୨୦୦୦ ନୋଟ ବଦଳରେ ସୁନା କିଣିବାକୁ ନେଇ ଲୋକଙ୍କ ଯାଞ୍ଚ ବୃଦ୍ଧିପାଇଥିଲା ବେଳେ ଶନିବାର ଏହା ରେକର୍ଡ ସୃଷ୍ଟି କରିଛି। ଦୋକାନରେ ଗ୍ରାହକଙ୍କ ଭିଡ ଅଧିକ ରହିଛି, କିନ୍ତୁ କଠୋର କେୱାଇସି ନିୟମ ପାଇଁ ବାସ୍ତବ କ୍ରୟ ହ୍ରାସ ପାଇଛି।  ସୁନାର ଚାହିଦା ବୃଦ୍ଧି ସହ ଦର ବୃଦ୍ଧିର ଖବର  ଆସୁଛି ବୋଲି ମେହରା କହିଛନ୍ତି। ମୁମ୍ବାଇ ବଜାରରେ ସୁନା ଦାମ ଜିଏସଟି ସମେତ ପ୍ରାୟ ୬୩,୮୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିବା ବେଳେ ୨୦୦୦ ଟଙ୍କିଆ ନୋଟରେ କିଣିବା କ୍ଷତ୍ରରେ ୬୭,୦୦୦ ଟଙ୍କା ୧୦ ଗ୍ରାମ ପାଇଁ ଆଦାୟ ହେଉଛି।

    ସେହିପରି ସୁରତରେ ସୁନା ଅଳଙ୍କାର ବ୍ୟବସାୟୀ ୨୦୦୦ ଟଙ୍କା ପଇଠ କରିବାକୁ ଥିଲେ ୧୦ ପ୍ରତିଶତ ପ୍ରିମିୟମ ଆଦାୟ କରୁଛନ୍ତି। ଦିଲ୍ଲୀରେ ମଧ୍ୟ ବହୁ ଅଳଙ୍କାର ବ୍ୟବସାୟୀଠାରୁ ଏହି ଶ୍ରେଣୀର ନୋଟ ବଦଳରେ ବିପୁଳ ଅଳଙ୍କାର କିଣା ହେଉଥିବାର ଖବର ରହିଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲାରୀ ଆସୋସିଏସନ ମୁତାବକ ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦାମ ୬୦,୨୪୮ ଟଙ୍କା ରହିଛି, ଯେତେବେଳେ କି ୨୨ କ୍ୟାରେଟ ସୁନାର ଦାମ ୫୮,୮୩୦ ଟଙ୍କା ରହିଛି। ଏଥିରେ ତିନି ପ୍ରତିଶତ ଜିଏସଟି ଓ ମେକିଂ ଚାର୍ଜ ସାମିଲ ନାହିଁ।

    ମେ ୧୯ ରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ତେବେ ୨୦୦୦ ଟଙ୍କା ଆକାଉଣ୍ଟରେ ଜମା କରିବାକୁ  କିମ୍ବା ବଦଳାଇବାକୁ  ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେଣୁ ଲୋକଙ୍କୁ ବ୍ୟତିବ୍ୟସ୍ତ  ନହୋଇ ୪୦ ଦିନ  ଭିତରେ ନିକଟରେ ଥିବାରୁ ସାମଗ୍ରୀ ଏବଂ ସେବା ଟିକସ ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର ହଲମାର୍କ ଥିବା ଗହଣା ଉତ୍ପାଦନକାରୀଙ୍କୁ ସଂଗଠିତ ହେବାକୁ ତଥା ଆନୁଷ୍ଠାନିକ ବ୍ୟବସାୟ କରିବାକୁ ଉତ୍ସାହିତ କରିଛନ୍ତି ଜେଜେସି ଅଧ୍ୟକ୍ଷ।

  • କେନ୍ଦ୍ରାପଡ଼ା: ମହାନଦୀ ଅବବାହିକାରେ ହାଇଡ୍ରୋକାର୍ବନର ସନ୍ଧାନ

    କେନ୍ଦ୍ରାପଡ଼ା: ମହାନଦୀ ଅବବାହିକାରେ ହାଇଡ୍ରୋକାର୍ବନର ସନ୍ଧାନ

    କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଜମପଡ଼ା ପଞ୍ଚାୟତରେ ପ୍ରାକୃତିକ ତୈଳର ସନ୍ଧାନ ମିଳିଛି । ଗଉଡ଼ ଗାଁ ଜମିରୁ ହାଇଡ୍ରୋକାର୍ବନର ସନ୍ଧାନ ପାଇଛନ୍ତି ବିଶେଷଜ୍ଞ ଟିମ୍। ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାର୍ଶରେ ଏହି ପ୍ରାକୃତିକ ତୈଳ ଭରପୂର ରହିଛି । ଏ ନେଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି ।

    ଏବେ ଜମି ହରାଉଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ମାଟିତଳେ ଥିବା ହାଇଡ୍ରୋକାର୍ବନ ଉତ୍ତୋଳନ ପାଇଁ ପ୍ରାୟ ୧୪ ଏକର ୭୪ ଡେସିମିଲ ଜମି ଚିହ୍ନଟ ହୋଇଛି । ଆବଶ୍ୟକ ଜମି ପାଇଁ ୧୧୪ ଜଣ ସ୍ଥାନୀୟ ଲୋକଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ । ଜମି ମାଲିକମାନଙ୍କ ଠାରୁ ୩ ବର୍ଷ ପାଇଁ ଆବଶ୍ୟକ ଜମି ଲିଜ୍ ଆକାରରେ ନେବ କମ୍ପାନୀ ।

    ଏ ନେଇ ଜମପଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଶିବିର କରାଯାଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉପସ୍ଥିତିରେ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପ୍ରଥମେ ୩ ବର୍ଷ ପାଇଁ ଜମିଗୁଡ଼ିକ ଲିଜ୍ ଆକାରରେ ନିଆଯିବ ଏବେ ଆବଶ୍ୟକସ୍ଥଳେ ଏହି ଅବଧି ବୃଦ୍ଧି କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ରିକ୍ ମେସିନ୍ ସାହାଯ୍ୟରେ ୧୪୫ ଫୁଟ ଉଚ୍ଚର ଡ୍ରିଲିଂ କରାଯିବ । ପ୍ରାୟ ୨୫୦୦ ମିଟର ମାଟି ତଳକୁ ଡ୍ରିଲ୍ କରାଯାଇ କେତେ ପରିମାଣର ତୈଳ ଗଛିତ ଅଛି ତାହାର ଅନୁସନ୍ଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।