ୟୁପି: ନଗର ନିଗମ ନିର୍ବାଚନରେ ୧୭ରୁ ୧୭ ହାତେଇଲା ବିଜେପି

ଉତ୍ତର ପ୍ରଦେଶରେ ନଗର ନିକାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଫିଆରାଜର ଅନ୍ତ ଅଭିଯାନ ଆଣିଦେଇଛି ବିପୁଳ ବିଜୟ। ଟ୍ରିପଲ ଇଞ୍ଜିନର ନାରା ଦେଇ ନିର୍ବାଚନ ଲଢୁଥିବା ବିଜେପି ୧୭ ନଗର ନିଗମ ଆସନରେ ବାଜିମାତ୍ କରିଛି। ବହୁ ନଗର ନିଗମର ପାରିଷଦ ପଦରେ ବିଜେପି ବିପୁଳ ବିଜୟ ହାସଲ କରି ପୂର୍ଣ୍ଣ ବହୁମତ ହାସଲ କରିଛି। ମୁନସିପାଲିଟି ସହ ନଗର ପାଳିକା ଓ ନଗର ନିକାୟ ନିର୍ବାଚନରେ ବିଜେପି ମୋଟ ୧୪୫୨୧ ପଦରେ ୮୩୩୭୨ ପ୍ରାର୍ଥୀଙ୍କୁ ଠିଆକରିଥିଲା।

୧୭ ନଗର ନିଗମକୁ ବିଜେପି ନିଜ ଅଧୀନକୁ ଆଣିବା ସହ ନଗରପାଳିକା ଚେୟାରମ୍ୟାନର ୧୯୯ ପଦରୁ ୯୮ ବିଜେପିକୁ ମିଳିଛି। ସେହିପରି ସପାକୁ ୫୯, ବସପାକୁ୧୯, କଂଗ୍ରେସକୁ୭ ଓ ଅନ୍ୟ ଦଳ ସବୁକୁ ୧୬ ଆସନ ଯାଇଛି। ନଗର ପଞ୍ଚାୟତରେ ୫୪୪ ଅଧ୍ୟକ୍ଷ ପଦର ନିର୍ବାଚନରେ ବିଜେପିର ୨୦୪, ସପାର ୧୭୧, ବସପାର ୫୧, କଂଗ୍ରେସର ୪୪ ଓ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନଙ୍କୁ ଯାଇଛି ୭୪।

ଶାହଜହାଂପୁର ସିଟ ନୂଆ ହୋଇଥିବାରୁ ଏହି ସିଟ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା। ତିନି ଜଣ ମନ୍ତ୍ରୀ ଏହି ସିଟର ପ୍ରଚାର ଭାର ଗ୍ରହଣ କରିଥିଲେ। ତେବେ ସବୁଠାରୁ ବଡ ରଣନୀତି ଥିଲା, ସପାର ଘୋଷିତ ପ୍ରାର୍ଥୀ ଓ ୪୦ ବର୍ଷ କାଳ ସପା ସହ ରହିଥିବା ପୂର୍ବତନ ସାଂସଦ ରାମମୂର୍ତ୍ତି ବର୍ମାଙ୍କ ବୋହୂ ଅର୍ଚ୍ଚନା ବର୍ମାଙ୍କୁ ପାର୍ଟିରେ ମିଶାଇବା। ସେହିପରି ନଗର ପାଳିକାର ବିଭିନ୍ନ ସ୍ଥାନରୁ ନେତାଙ୍କୁ ନେଇ ନିଜ ଦଳରେ ସାମିଲ କରାଯାଇଥିଲା।

ୟୁପିର ଏହି ନଗରପାଳିକା ନିର୍ବାଚନ ପାଇଁ ବିଜେପି ଚଳିତ ଥର ବିଶେଷକରି ମୁସଲମାନଙ୍କୁ ମଧ୍ୟ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲା। ବିଭିନ୍ନ ସ୍ଥାନରେ ନଗର ପାଳିକା ଓ ନଗର ପଞ୍ଚାୟତରେ ମୁସଲମାନ ପ୍ରତ୍ୟାଶୀଙ୍କୁ ଠିଆ କରାଯାଇଥିଲା। ଯାହା ଦଳର ମୁସଲମାନ ବିରୋଧୀ ଛବିକୁ ମଳିନ କରିବାରେ ସହାୟକ ହୋଇଥିଲା। ଏଥିସହ ଆଗାମୀ ଦିନ ପାଇଁ ଏହା ବିଜେପିର ରଣନୀତିର ଏକ ସଙ୍କେତ ଦେଇଛି। ସହରାଞ୍ଚଳର ବହୁ ଶିକ୍ଷିତ ମୁସଲମାନଙ୍କୁ ବିଜେପିରେ ସାମିଲ କରାଯାଇଥିଲା।

Ś୨୦୧୭ ମୁନସିପାଲିଟି ନିର୍ବାଚନରେ ୟୁପିରେ ୧୬ ସିଟ ଥିଲା।  ସେଥିରୁ ବିଜେପି ଖାତାକୁ ଯାଇଥିଲା ୧୪ସିଟ। ମେରଟ, ଅଲିଗଡ ଉପରେ ଥିଲା ବିଏସପିର କବ୍ଜା। ଚଳିତ ନିର୍ବାଚନରେ ଶାହଜହାଂପୁର ନୂଆ କ୍ଷେତ୍ର ହୋଇଥିଲା। କିନ୍ତୁ ଚଳିତ ଥର ସବୁ ୧୭ ଆସନକୁ ନିଜ ଅକ୍ତିଆରକୁ ନେଇଛି ବିଜେପି। ଦଳ ପ୍ରତି ଥର ପରି ମାଇକ୍ରୋ ମ୍ୟାନେଜମେଣ୍ଟ କରି ସରକାରର ମନ୍ତ୍ରୀ ଓ ଦଳର ପଦାଧିକାରୀମାନଙ୍କୁ ଅଲଗା ଅଲଗା ନଗର ନିଗମ ଓ ନଗର ପାଳିକା ପରିଷଦର ଦାୟିତ୍ବ ଦେଇଥିଲା। ଗଣତି ଆରମ୍ଭରୁ ହିଁ ବିଜେପିର ରଣନୀତି ଗୋଟିଏ ପରେ ଗୋଟିଏ ସିଟ ଉପରେ ବିଜୟ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *