କେନ୍ଦୁଝର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି

ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟିର ଦୁଇ ଦିନିଆ କେନ୍ଦୁଝର ଗସ୍ତ । ସୋମବାର ସନ୍ଧ୍ୟାରେ କାନୁପୁର ବୃହତ୍ ଜକ ସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିଛନ୍ତି ଲୋକ ଲେଖା କମିଟି । ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ନୀଳଗିରି ବିଧାୟକ ସୁକାନ୍ତ ନାଏକ ବାସୁଦେବପୁର ସ୍ଥିତ କାନୁପୁର ଡ୍ୟାମ୍ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ସ୍କିଲ ୱେ, କେନାଲ, ଡ୍ୟାମ୍ ଗେଟ୍, ଆଦିର ନିର୍ମାଣ ସମ୍ପର୍କରେ ଯନ୍ତ୍ରୀଙ୍କୁ ପଚାରି ବୁଝିବା ସହିତ ନିର୍ମାଣ କାର୍ଯ୍ୟରେ ବିଳମ୍ବ ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ସନ୍ଦେହ ବ୍ୟକ୍ତ କରିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ଜଳ ସମ୍ପଦ ବିଭାଗ ସହିତ ସମୀକ୍ଷା କରିବା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।

୨ୟ ଦିନ ମଙ୍ଗଳବାର, ପିଏସି, ବଡ଼ବିଲ ସ୍ଥିତ ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର କମ୍ପାନୀର ବେନିଫିସିଏସନ୍ ପ୍ଲାଣ୍ଟ ପରିଦର୍ଶନ କରିବା ସହ କମ୍ପାନୀ ବିରୁଦ୍ଧରେ ରହିଥିବା ବିଭିନ୍ନ ଅନିୟମିତତାକୁ ନେଇ ଅନୁଧ୍ୟାନ କରିଥିଲେ । ଜଳ ପରିଚାଳନା ଓ ସବୁଜ ବଳୟ ସୃଷ୍ଟି ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କମିଟି । ପିଟିସିଏଲ୍, କାରୋ ନଦୀରୁ ଜଳ ନେଇ ବ୍ୟବହାର ପାଇଁ ଅନୁମତି ପାଇଥିଲେ ସୁଦ୍ଧା ବିଗତ ୨ ବର୍ଷ ଧରି କେବଳ ଡିପ୍ ବୋରିଂ ମାଧ୍ୟମରେ ଭୂ-ତଳ ଜଳ ବ୍ୟବହାର କରିଆସୁଛି । ଯାହାଫଳରେ ଆଖପାଖ ଅଞ୍ଚଳରେ ଭୂ-ତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ପ୍ରଦୂଷିତ ଜଳକୁ ବିଶୋଧନ ନକରି ସିଧାସଳଖ ବାହାରକୁ ଛାଡ଼ି ଦେଉଥିବା ଫଳରେ ଚାଷୀକୂଳ ପ୍ରଭାବିତ ହେଉଥିବା କହିଛନ୍ତି ପବ୍ଲିକ ଆକାଉଣ୍ଟସ୍ କମିଟି ସଦସ୍ୟ ତଥା ବିଧାୟକ ସୁକାନ୍ତ ନାୟକ । ବୃକ୍ଷ ରୋପଣ କରିବା ଦିଗରେ କମ୍ପାନୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ କମିଟି । ସରକାରଙ୍କ ସମସ୍ତ ନୀତି ନିୟମକୁ ଏଠାରେ ଉଲଂଘନ କରାଯାଇଛି ବୋଲି କମିଟିର ଅଧ୍ୟକ୍ଷ ମୋହନ ମାଝୀ କହିଛନ୍ତି ।

ଏହାପରେ ରୁଗୁଡ଼ି ଠାରେ ଥିବା ନନ୍ଦିଘୋଷ ସ୍ପଞ୍ଜ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କମ୍ପାନୀ ଯେଉଁସବୁ ବ୍ୟବସ୍ଥା ଗ୍ରହଣ କରିଛି, ସେନେଇ ତଦାରଖ କରିବା ସହ ବିରକ୍ତି ଭାବ ପ୍ରକାଶ କରିଥିଲେ ପିଏସି । ବର୍ଷା ଜଳ ସଂରକ୍ଷଣ, ଜଳ ନିଷ୍କାସନ, ନିର୍ଗତ କଳା ଧୂଆଁ ପରିଚାଳନା ଆଦି ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ଦର୍ଶାଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ । ପ୍ଲାଣ୍ଟ ପରିଚାଳନାରେ କେବଳ ମାତ୍ର ଭୂ-ତଳ ଜଳ ବ୍ୟବହାର କରାଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି ।

ଏହାପରେ ଗୁଆଲି ଠାରେ ଥିବା ଜେଏସ ଡବ୍ଲୁ ଅଧିନ ନୁଆ ଗାଁ ଆଇରନ ଖଣିରେ ପହଞ୍ଚିଥିଲେ ପିଏସି । ଖଣି ପ୍ରଭାବିତ ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ଏସବୁ ସମସ୍ୟାର କିଭଳି ସମାଧାନ ହୋଇପାରିବ ସେନେଇ କମ୍ପାନୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଏ ସଂକ୍ରାନ୍ତରେ ସଂପୃକ୍ତ ବିଭାଗ ଗୁଡ଼ିକ ସହିତ ଆଲୋଚନା କରାଯା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆକ୍ସନ ଟେକେନ ରିପୋର୍ଟ ପ୍ରସ୍ତୁତ କରି ଦିଆଯିବ ବୋଲି ମୋହନ ମାଝୀ କହିଛନ୍ତି । ଏହି ଗସ୍ତ ସମୟରେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *