ଅସଦ ଏନକାଉଣ୍ଟରର ଯାଞ୍ଚ ହେଉ

ଉମେଶ ପାଲ ହତ୍ୟା ଘଟଣାରେ ୟୁପି ପୋଲିସର ଏସଟିଏଫ ଆଜି ପୂର୍ବତନ ସାଂସଦ ଅତିକ ଅହମଦର ପୁଅ ଅସଦ ଓ ତାର ସହଯୋଗୀ ଗୁଲାମକୁ ଏନକାଉଣ୍ଟରରେ ମାରିବା ପରେ ତେଜିଛି ରାଜନୀତି। ଏନକାଉଣ୍ଟରକୁ ନେଇ ବିରୋଧୀ ନାନା ପ୍ରଶ୍ନ ଉଠାଉଛନ୍ତି। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ଅଖିଳେଶ ଯାଦବଙ୍କ ସମେତ ବହୁ ନେତା ମୁହଁ ଖୋଲିଛନ୍ତି।

ମାୟା ଟ୍ୱିଟ କରି କହିଛନ୍ତି କି, ଆଜି ପ୍ରୟାଗରାଜର ଅତିକ ଅହମଦର ପୁଅ ସହ ପୋଲିସର ଗୁଳି ବିନିମୟରେ ତାକୁ ହତ୍ୟା କରାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଲୋକଙ୍କୁ ବିକାଶ ଦୁବେ ଘଟଣାର ପୁନରାବୃତି ଲାଗୁଛି। ତେଣୁ ଏହି ଘଟଣାର ସତ୍ୟତା ଉଚ୍ଚସ୍ତରୀୟ ଯାଞ୍ଚ କରାଯାଇ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଛି।

ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏନକାଉଣ୍ଟର ପରେ ଟ୍ୱିଟ୍ କରି ମିଛ ଏନକାଉଣ୍ଟର କରି ବିଜେପି ସତ ଘଟଣା ଉପରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି। ବିଜେପି ନ୍ୟାୟପାଳିକା ଉପରେ ବିଶ୍ୱାସ କରୁନାହିଁ। ଅଖିଳେଶ ଆହୁରି କହିଛନ୍ତି କି, ଆଜିର ଏନକାଉଣ୍ଟରର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଠିକ ଭୁଲ ନିର୍ଣ୍ଣୟ ନେବାର ଅଧିକାର ସରକାରକୁ ନାହିଁ। ବିଜେପି ଭାଇଚାରାକୁ ନଷ୍ଟ କରୁଥିବା ଅଭିଯୋଗ ଆଣିଛନ୍ତି ଅଖିଳେଶ।  

Leave a Reply

Your email address will not be published. Required fields are marked *