Anla Nabami : ଆଜି ପବିତ୍ର ଅଁଳା ନବମୀ, ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ!

ଆଜି ପବିତ୍ର ଅଁଳା ନବମୀ। ଭକ୍ତି ଓ ଆସ୍ଥାରେ ମୁଖରିତ ହୋଇଉଠିଛି ପୁରୀ ଜିଲ୍ଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ପୀଠ। ବର୍ଷକୁ ଥରେ ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଏହି ପବିତ୍ର ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପହଞ୍ଚୁଛନ୍ତି।

କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦିନକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ଅଁଳା ବୃକ୍ଷର ପୂଜାର୍ଚ୍ଚନା କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏଥିସହିତ ଜପ, ତପ, ଦାନ ଓ ଧର୍ମକାର୍ଯ୍ୟ କରିବାର ବିଶେଷ ମହତ୍ତ୍ୱ ରହିଛି।

ତେବେ ଓଡ଼ିଶାରେ ଅଁଳା ନବମୀର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସାକ୍ଷୀଗୋପାଳର ରାଧାପାଦ ଦର୍ଶନ। ସାଧାରଣ ଦିନରେ ମା’ ରାଧାରାଣୀଙ୍କ ପାଦ ବସ୍ତ୍ରରେ ଆବୃତ ରହୁଥିବା ବେଳେ କେବଳ ଏହି ପବିତ୍ର ତିଥିରେ ଭକ୍ତମାନେ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି।

ଏହି ଅବସରରେ ମା’ ରାଧାରାଣୀଙ୍କୁ ସ୍ୱତନ୍ତ୍ର ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଉଥିବା ବେଳେ ପ୍ରଭୁ ସାକ୍ଷୀଗୋପୀନାଥ ନଟବର ବେଶରେ ଦର୍ଶନ ଦେଇଥାନ୍ତି। ମନ୍ଦିର ପରିସର ହରିବୋଲ, ହୁଳହୁଳି ଓ ଭଜନକୀର୍ତ୍ତନରେ ପ୍ରକମ୍ପିତ ହୋଇଉଠେ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍ ସହ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି।

ବିଶ୍ୱାସ ରହିଛି, ଏହି ପବିତ୍ର ଦିନରେ ରାଧାରାଣୀଙ୍କ ପାଦ ଦର୍ଶନ କଲେ ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଜି ସାକ୍ଷୀଗୋପାଳ ପୀଠରେ ଭକ୍ତି ଓ ଆସ୍ଥାର ଅପୂର୍ବ ସମାଗମ ଦେଖିବାକୁ ମିଳିଛି।