ସହକାରୀ କନିଷ୍ଠ ଜନ୍ତ୍ରୀଙ୍କ ସାମ୍ରାଜ୍ୟରେ ଭିଜିଲାନ୍ସ ରେଡ୍ : ୬ ଜାଗାରେ ଏକକାଳୀନ ଚଢ଼ାଉ,୪୩ ଜଣିଆ ଟିମ୍ ତଦନ୍ତରେ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଭାବେ ୬ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଶବରଙ୍କ ଗୋଶାଣିମୁଣ୍ଡା ସ୍ଥିତ ବାସଭବନ, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, କିଟପଦରରେ ଥିବା ଫାର୍ମହାଉସ ସହ ଧର୍ମଗଡ଼ ଏବଂ ଭବାନୀପାଟଣାରେ ଥିବା କାର୍ଯ୍ୟାଳୟରେ ତଲାସି ଚାଲାଇଛନ୍ତି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉରେ କଳାହାଣ୍ଡି, କଟକ ଏବଂ କୋରାପୁଟରୁ ଆସିଥିବା ପ୍ରାୟ ୪୩ ଜଣିଆ ଭିଜିଲାନ୍ସ ଟିମ୍ ସାମିଲ ଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ବିଭିନ୍ନ ଦଲିଲପତ୍ର, ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି।
ତେବେ ଭୁବନେଶ୍ୱର ଶବରଙ୍କ ନାମରେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଚଢ଼ାଉ ଶେଷ ପରେ ଆହୁରି ବିସ୍ତୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।