ACF Soumya Ranjan Death Case : ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ମୋଡ଼, ବିଦ୍ୟାଭାରତୀଙ୍କ ଜାମିନ ଖାରଜ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ବଡ଼ ଖବର। ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ମିଳିଲାନି ଜାମିନ। ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ବିଦ୍ୟାଭାରତୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ବିଦ୍ୟାଭାରତୀଙ୍କୁ ଏବେ ଜେଲ୍‌ରେ ରହିବାକୁ ପଡ଼ିବ। ଦୀର୍ଘ ବର୍ଷ ପରେ ପୁଣିଥରେ ଏହି ବହୁଚର୍ଚ୍ଚିତ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଗତକାଲି ଏଡିଜେ ହରପ୍ରସାଦ ପଟ୍ଟନାୟକଙ୍କ ଅଦାଲତରେ ବିଦ୍ୟାଭାରତୀଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ରାୟକୁ ସଂରକ୍ଷିତ ରଖିଥିଲେ। ତେବେ ଆଜି ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ସୂଚନା ମିଳିଛି।

ଏହି ମାମଲାରେ ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ଅଭିଯୁକ୍ତ ରହିଛନ୍ତି। ଉଭୟ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଗୁରୁତର ଭାବେ ପୋଡ଼ିଯାଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ଜୁଲାଇ ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା।

ଏହି ରହସ୍ୟଜନକ ମୃତ୍ୟୁ ଘଟଣା ସେତେବେଳେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅନ୍ୟପଟେ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ନଭେମ୍ବର ୨ ତାରିଖରେ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ଏବେ ନଭେମ୍ବର ୧୮ ତାରିଖରେ ନିୟମିତ ଜାମିନ ଆବେଦନ ମଧ୍ୟ ଖାରଜ ହେବା ପରେ ବିଦ୍ୟାଭାରତୀଙ୍କୁ ବଡ଼ ଝଟକା ଲାଗିଛି। ତେବେ ମାମଲାର ଚୂଡ଼ାନ୍ତ ରାୟ ଆସିନଥିବା ବେଳେ ଆଗକୁ ଅଦାଲତରେ ଏହି ମାମଲାର ବିଚାର ପ୍ରକ୍ରିୟା କିଭଳି ଆଗକୁ ବଢ଼ୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।