ମଣିପୁର: ସାନି ହିଂସାରେ ୯ ମୃତ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ

ମଣିପୁରରେ କେବେ ହିଂସା ଥମିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତେ ଅପିଲ୍ କରିବା ସତ୍ତ୍ୱେ ହିଂସା କମୁନି । ପୂର୍ବ ଇମ୍ଫାଲ୍‌ ଏବଂ କାଙ୍ଗପୋକ୍‌ପି ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଅଗିଜାନ୍ ଗାଁ’ରେ ସାନି ହିଂସାକାଣ୍ଡ ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରେ ୧୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ପୋଲିସର ସୂଚନା ଅନୁସାରେ ମଙ୍ଗଳବାର ରାତି ୧୦ଟାରୁ ୧୦.୩୦ ମଧ୍ୟରେ ସଶସ୍ତ୍ର ଆକ୍ରମଣକାରୀ ଗାଁ ଚାରିପଟେ ଘେରି ଯାଇଥିଲେ । ସେମାନେ ପ୍ରଥମେ ଆକ୍ରମଣ କରିଥିବା ନେଇ ପୋଲିସ କହିଛି । ସେମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାବାହିନୀ ପହଞ୍ଚିଯିବା ପରେ ସେଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟ ଆରମ୍ଭ ପରେ ୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣାରେ ଆହତମାନଙ୍କୁ ଇମ୍ଫାଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହିଛି ପୋଲିସ । ଦୁର୍ବୃତ୍ତମାନେ ଖାମେନ୍‌ଲୋକ ଗାଁ’ରେ କେତେଗୁଡ଼ିଏ ଘର ପ‌ୋଡ଼ି ଦେଇଛନ୍ତି । ଏବେ ସେ ଅଞ୍ଚଳର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ଏକ ମାସ ହେଲା ମଣିପୁରୀ ଓ କୁକି ଜନଜାତି ସମ୍ପ୍ରଦାୟ ମଧ୍ୟରେ ବିବାଦ ଦେଖାଦେଇଛି । ହିଂସା ବନ୍ଦ କରାଇ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଆହ୍ୱାନ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ସୁରକ୍ଷା ବାହିନୀ, ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । ଏସବୁ ସତ୍ତ୍ୱେ ସ୍ଥିତିରେ କୌଣସି ସୁଧାର ଆସୁନି । ଗତକାଲି ରାତିରେ ପୁଣି ହିଂସା ଘଟି ଲୋକଙ୍କ ଜୀବନ ଯାଇଛି । ତେଣୁ ଇମ୍ଫାଲ୍‌ରେ କର୍ଫ୍ୟୁ କୋହଳ ସମୟ ସୀମା ପୁଣି କଠୋର କରାଯାଇଛି ।

Leave a Reply

Your email address will not be published. Required fields are marked *