ଆଜିଠାରୁ ପୁଣି ଗଡ଼ୁଛି କରମଣ୍ଡଳ, ସନ୍ଧ୍ୟାରେ ବାହାନଗା ଅତିକ୍ରମ କରିବ

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପୁଣି ଥରେ କରମଣ୍ଡଳ ଏକ୍ପପ୍ରେସ ଟ୍ରାକରେ ଗଡ଼ିବ । ଆଜିଠାରୁ ପୁଣି ଥରେ ଚଳାଚଳ ଆରମ୍ଭ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି । ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଘଟଣାସ୍ଥଳ ବାହାନଗା ଅତିକ୍ରମ କରିପାରେ । ଶାଲିମାରରୁ ଚେନ୍ନାଇ ଅଭିମୁଖେ ବାହାରିଥିବା ଏହି ଟ୍ରେନ୍ ବାହାନଗା ରୁଟରେ ଯାତ୍ରା କରିବ ।

ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ଷ୍ଟେସନ‌ ନିକଟରେ ଶାଲିମାର୍‌-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ଛିଡ଼ା ହୋଇଥିବା ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା । ୧୦ରୁ ୧୨ଟି ଡବା ଲାଇନଚ୍ୟୁତ ହୋଇ ଅନ୍ୟ ଧାରଣା ଉପରକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ପାର୍ଶ୍ୱରୁ ୟଶବନ୍ତପୁର-ହାୱଡ଼ା ଟ୍ରେନ୍ ଦ୍ରୁତ ଗତିରେ ଆସୁଥିଲା । ତେଣୁ ଡବାଗୁଡ଼ିକ ଉପରେ ଧକ୍କା ଖାଇଥିଲା । ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅଧିକାଂଶ ଯାତ୍ରୀ ଏବେ ମେଡିକାଲରେ ଭର୍ତ୍ତି ଅଛନ୍ତି । ପଶ୍ଚିମବଙ୍ଗ ଏବଂ ବିହାରର କିଛି ଯାତ୍ରୀ ଏବେ ବି ନିଖୋଜ ଥିବା ନେଇ ସୂଚନା ମିଳିଛି ।

ସେପଟେ, ଇଲେକ୍ଟ୍ରୋନିକ୍‌ ଇଣ୍ଟର୍‌ଲକିଂରେ ପରିବର୍ତ୍ତନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ରେଳ ଦୁର୍ଘଟଣା ଯୋଗୁଁ ବାଲେଶ୍ୱରରେ ରେଳ ଚଳାଚଳ ଭୀଷଣ ପ୍ରଭାବିତ ହୋଇଥିଲା । ୫୦ ଘଣ୍ଟା ନନଷ୍ଟପ୍ ମରାମତି ପରେ ପୁଣି ଥରେ ସେହି ଟ୍ରାକରେ ରେଳ ଚଳାଚଳ ଆରମ୍ଭ ହୋଇଛି । ରବିବାର ଭାଇଜାକ୍ ବନ୍ଦରରୁ କୋଇଲା ନେଇ ଗୋଟାଏ ମାଲ୍‌ଗାଡ଼ି ଏହି ରେଳପଥରେ ରାଉରକେଲା ଇସ୍ପାତ କାରଖାନା ଅଭିମୁଖେ ଯାଇଥିଲା । ସେହିପରି, ସୋମବାର ଏହି ଟ୍ରାକରେ ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯାତ୍ରା ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *