ଜାଣିବା ବାହାନଗା ରୁଟରେ ଆଜି ଓ କାଲି ପାଇଁ କେଉଁ ଟ୍ରେନ୍ ବାତିଲ

ଶୁକ୍ରବାର ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ୍ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ତଥାପି ସବୁ ଟ୍ରେନ୍ ଚଳାଚଳ ହୋଇପାରି ନାହିଁ । ମାଲବାହୀ ଗାଡ଼ି ଓ କିଛି ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଆଜି ଓ କାଲି ଦୁଇ ଦିନି ପାଇଁ କିଛି ଟ୍ରେନ୍ ବାତିଲ ରହିଥିବା ସୂଚନା ଦେଇଛି ରେଳ ବିଭାଗ ।

ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍ ଅପେକ୍ଷାରେ ଥିବା ଅନ୍ୟ ଯାତ୍ରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ବାହାନଗାରେ ଯୁଦ୍ଧକାଳୀନ ଭିତ୍ତିରେ ଅର୍ଥାତ୍ ଦୀର୍ଘ ୫୦ ଘଣ୍ଟା ନନଷ୍ଟମ ମରାମତି କାମ ହୋଇଥିଲା । ଶେଷରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲେ ସୁଦ୍ଧା ସବୁ ଟ୍ରେନକୁ ଏଯାଏ ଅନୁମତି ମିଳିନାହିଁ । କେବଳ କିଛି ମାଲବାହୀ ଗାଡ଼ି ଏବଂ ପାସେଞ୍ଜର ଟ୍ରେନ୍ ସେହି ରୁଟରେ ଚଳାଚଳ ଆରମ୍ଭ କରିଛି । ଆଜି ଓ କାଲି ଦୁଇଦିନ ଯାଏ ୭୪ଟି ଟ୍ରେନକୁ ବାତିଲ କରାଯାଇଛି ।

ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ,ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ,ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ ସହ ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ,ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ,ଶାଲିମାର-ଚେନ୍ନାଇ କରମଣ୍ଡଳ ସହ ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ଭଳି ଟ୍ରେନ୍ ଗୁଡ଼ିକୁ ବାତିଲ୍ କରାଯାଇଛି ।

ସେହିପରି ଆସନ୍ତାକାଲି ପାଇଁ କିଛି ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ,ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ,ପାଟନା-ପୁରୀ ଓ ସିଆଲ୍ ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ, ପୁରୀ-ଆନନ୍ଦବିହାର ହୋଇଛି । ସେହିପରି ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ,ରିଷିକେଶ-ପୁରୀ ଏକ୍ସପ୍ରେସ ବାତିଲ ରହିଛି । ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ଏବେ ଟ୍ରେନର ହାରାହାରି ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ଭିତରେ ହିଁ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଗତ ୨ ତାରିଖରେ ଟ୍ରେନ୍ ଦୁର୍ଘଟଣା ପରେ ନନଷ୍ଟପ୍ ମରାମତି କାମ ହୋଇଥିଲା । ପ୍ରଥମେ ମାଲବାହୀ ଟ୍ରେନ୍ ଓ ପରେ ପରେ କିଛି ପାସେଞ୍ଜର ଟ୍ରେନ୍ ପରୀକ୍ଷାମୂଳକ ଭାବେ ଚଳାଚଳ କରୁଛି । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ସେହି ରୁଟ୍‌ରେ ଗଲାଣି । ଆଉ କିଛି ଦିନ ମଧ୍ୟରେ ସବୁ ଟ୍ରେନ୍ ଚଳାଚଳ କରିବ । କିନ୍ତୁ ଦୁର୍ଘଟଣାସ୍ଥଳରେ ଟ୍ରେନର ଗତି ନିୟନ୍ତ୍ରଣାଧୀନ ରହିବ ।

Leave a Reply

Your email address will not be published. Required fields are marked *