
ଟ୍ରେନ ଟ୍ରାଜେଡ଼ିର ସିବିଆଇ ତଦନ୍ତକୁ ସ୍ୱାଗତ କରିଛି ବିଜେଡି । ଦଳର ଉପ ସଭାନେତ୍ରୀ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ପ୍ରତିକ୍ରିୟା ରଖି କହିଛନ୍ତି ଭଲ ହୋଇଛି ସିବିଆଇକୁ ତଦନ୍ତ ଭାର ଦିଆ ଯାଇଛି । ଯିଏ ଦୋଷୀ ସେ ଦଣ୍ଡ ପାଇବ । ସିବିଆଇ ତଦନ୍ତ ହେଲେ ତ ଲୋକଙ୍କ ଜୀବନ ଫେରି ଆସିବିନି କିନ୍ତୁ ତଦନ୍ତ ହେଲେ ଦୋଷୀ ଧରା ପଡ଼ିବ । ସିବିଆଇ ତଦନ୍ତ କରୁଛନ୍ତି ଠିକ ଜିନିଷ ଧରା ପଡ଼ିବ । ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ସାମ୍ନାକୁ ଆସିବେ । ନିଶ୍ଚିତ ଭାବେ କିଛି ଭୁଲ ଭଟକା ଯୋଗୁ ଏହି ଘଟଣା ଘଟିଛି ତେଣୁ ଆମେ ସିବିଆଇ ତଦନ୍ତକୁ ସ୍ୱାଗତ କରୁଛୁ ।
ମଲିକ ଆଗକୁ ଆହୁରି କହିଛନ୍ତି କି, କୌଣସି ମୃତ୍ୟୁ ଲୁଚା ଯାଇନି । ଆମେ ପ୍ରାଣ ପ୍ରଣେ ଉଦ୍ୟମ କରି ସବୁ ଡେଡ଼ ବଡ଼ି ବାହାର କରିଛୁ । ତଥ୍ୟ ଲୁଚେଇ ଆମର କଣ ଲାଭ ହେବ ଯେ ଆମେ ଲୁଚେଇବୁ । ସମସ୍ତେ ତନ ତନ କରି ଦେଖିଛିନ୍ତି । କେଉଁଠି କିଛି ଲୁଚା ଯାଇନି ।

ରାଜନୀତି କରିବାର ଇଏ ସମୟ ନୁହେଁ । ଅନେକ ଲୋକ ଚିକିତ୍ସିତ ହେଉଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି। ଏହି ସଙ୍କଟ ସମୟରେ ସେମାନଙ୍କ ସହ ଛିଡା ହେବାର ଇଏ ସମୟ । ରାଜନୀତି କରିବା ପାଇଁ ବହୁତ ସମୟ ଅଛି। ଯେଉଁମାନେ ଏଇ ଘଟଣାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଆଗ ଆହତ ଓ ମୃତ୍ୟୁ ବ୍ୟକ୍ତିଙ୍କ ପରିବାର ସହ ଯାଇକି ଛିଡ଼ା ହୁଅନ୍ତୁ ଆଉ ସାନ୍ତ୍ୱନା ଦିଅନ୍ତୁ । କହିବା ବଦଳରେ ଯାଇ କି କିଛି କରନ୍ତୁ । ଘଟଣା କୁ ନେଇ ରାଜନୀତି ନ କରନ୍ତୁ ବୋଲି ଭାବବିହ୍ୱଳ କଣ୍ଠରେ କହିଛନ୍ତି ମନ୍ତ୍ରୀ ମଲିକ ।

ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା। ଏଥିସହ ପିସିସି ସଭାପତି ଶରତ ପଟ୍ଟନାୟକ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ସହ କ୍ଷତି ପୂରଣ ୧୦ ରୁ ୧୫ ଲକ୍ଷ କରିବା, ଓ ଗୁରୁତର ଆହତ ତଥା ପଙ୍ଗୁଙ୍କୁ ବି ଚାକିରି ଦେବା ପାଇଁ ଦାବି ହୋଇଥିଲା। ଏବେ ଦେଶରେ ରେଳ ବିଭାଗରେ ଲକ୍ଷେ ଚାଳିଶ ହାଜର ପଦବୀ ଖାଲି ଅଛି, ତାହା ପୂରଣ କରାଯାଉନି। ଟ୍ରାକ୍ ନବୀକରଣ ହେଉନି। ରେଳ ମନ୍ତ୍ରୀ ସିବିଆଇକୁ ତଦନ୍ ଭାର ଦେଇ ଚାଲାକି ଦେଖାଉଛନ୍ତି। ସିବିଆଇ ତଦନ୍ତ କେବଳ ଅପରାଧିକ ମାମଲାରେ ହୁଏ । ତା ମାନେ ଏହି ମନ୍ତ୍ରାଳୟର କିଛି ଗୋଟେ ଅପରାଧିକ ଘଟଣା ହେଉଥିଲା। ଏଠି ନିଶ୍ଚୟ ଅପରାଧ ହୋଇଛି। ନହେଲେ କାହିଁକି, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ବୋଲି ପ୍ରଶ୍ନ କରିଥିଲେ ପଟ୍ଟନାୟକ।