୧୭୦ ମୃତଦେହ ଚିହ୍ନଟ, କରମଣ୍ଡଳ ଡ୍ରାଇଭର ଜୀବିତ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ଏଯାଏ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ସରିଛି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୃତ ଶରୀର ନେବାକୁ ଆସୁଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗରେ ମୃତ ଶରୀର ପଠାଯାଉଛି । ସ୍ଥାନୀୟ ଲୋକଙ୍କ ସହଯୋଗ,ରାଜ୍ୟ ସରକାର, ପ୍ରଶାସନ ତତ୍ପରତା ଏବଂ ପାଖାପାଖି ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନ ରକ୍ଷା କରାଯାଇଛି ।

ଦୁର୍ଘଟଣାସ୍ଥଳରେ ବାରମ୍ବାର ଯାଞ୍ଚ ହୋଇଛି । ମୃତ ଶରୀରଗୁଡ଼ିକୁ କିଛି ଦିନ ପର୍ଯ୍ୟନ୍ତ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନେକ ଲୋକଙ୍କ ଜୀବନ ଚାଲିଯାଇଥିବାରୁ ମୃତଦେହ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଯାଇଥିବାରୁ ମୃତ ଶରୀର ଚିହ୍ନିବା କଷ୍ଟସାଧ୍ୟ ହେଉଛି । ମୃତଦେହ ଚିହ୍ନଟ ପରେ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ।

ସେପଟେ, ଆହତମାନଙ୍କ ଚିକିତ୍ସା ଠିକ୍ ଭାବେ ଚାଲିଥିବା ବେଳେ ସେମାନଙ୍କ ପାଇଁ ରକ୍ତର ଅଭାବ ନାହିଁ । କାରଣ ରାଜ୍ୟରେ ସ୍ୱତଃପ୍ରବୃତ୍ତ ଭାବେ ରକ୍ତ ଦେଇ ଚାଲିଛନ୍ତି । ସମସ୍ତଙ୍କ ସହଯୋଗ ଯୋଗୁଁ ପ୍ରାୟ ୧୨ ଶହ ଲୋକଙ୍କ ଜୀବନ ବଞ୍ଚିଗଲା ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି । ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ,ଓଡ୍ରାଫ୍ ଟିମଙ୍କ କାମ ସବୁବେଳେ ପ୍ରଶଂସନୀୟ ହୋଇ ରହିବ । ଦୁର୍ଘଟଣାସ୍ଥଳରେ ଆସ୍କା ଲାଇଟ ଏବଂ ବିଭିନ୍ନ ଲାଇଟ୍ ଲଗାଇବା ଦ୍ୱାରା ଉଦ୍ଧାର କାର୍ଯ୍ୟରେ ବେଶ୍ ସହାୟକ ହୋଇଥିଲା ବୋଲି କହିଛନ୍ତି SRC ସତ୍ୟବ୍ରତ ସାହୁ ।

ସେପଟେ ଦୁର୍ଘଟଣା ପରେ ମେଡିକାଲ ବ୍ୟବସ୍ଥାକୁ ସଙ୍ଗେ ସଙ୍ଗେ ଆକ୍ଟିଭ କରାଯାଇଥିଲା । ପୁଣି ସମସ୍ତଙ୍କ ସାହାଯ୍ୟ ଏବଂ ସହଯୋଗରେ ଶହ ଶହ ଲୋକଙ୍କ ଜୀବନ ରକ୍ଷା ପାଇଲା ବୋଲି କହିଛନ୍ତି ଶିଳ୍ପ ସଚିବ ।

ଆଗକୁ ଏଭଳି ବଡ଼ ଘଟଣା ଘଟିଲେ ଆମକୁ ଏହି ଅଭିଜ୍ଞତା ଅନେକ ସହାୟକ ହେବ । ଦୁଇଟି ଟ୍ରେନରେ ପ୍ରାୟ ୧୫୦୦ ଲୋକ ଥିଲେ । ସେମାନଙ୍କୁ ଅନ୍ଧାର ଭିତରେ କମ୍ ସମୟରେ ଉଦ୍ଧାର କରିବା ବଡ଼ ଚ୍ୟାଲେଞ୍ଜ ଥିଲା । ସେଥିପାଇଁ ୨୭୫ ଲୋକଙ୍କ ଜୀବନ ଚାଲିଗଲା ବୋଲି କହିଛନ୍ତି ଶିଳ୍ପ ସଚିବ ।

ସେପଟେ ଭଗବାନଙ୍କ କୃପାରୁ କରମଣ୍ଡଳ ଏକ୍ସପ୍ରେସ ଡ୍ରାଇଭର ଏବେ ବି ଜୀବିତ ଅଛନ୍ତି । ଆହତ ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଜୀବିତ ଅଛନ୍ତି । କରମଣ୍ଡଳ ଏକ୍ସପ୍ରେସ ଡ୍ରାଇଭର କଟକ ୪୨ ମୌଜା ନହରପଡ଼ା ଗାଁ ବାସିନ୍ଦା ।

Leave a Reply

Your email address will not be published. Required fields are marked *