ବାହାନଗା ଦୁର୍ଘଟଣା ପରେ ନନଷ୍ଟପ୍ ମରାମତି, ଟ୍ରାକରେ ଗଡ଼ିଲା ଟ୍ରେନ୍

ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟ । ନନଷ୍ଟପ୍ ମରାମତି ପରେ ଶେଷରେ ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଗଡ଼ିଛି ଟ୍ରେନ୍ । ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ରେଳ ଚଳାଚଳ ଆରମ୍ଭ ହୋଇଛି । ପାସେଞ୍ଜର ଏବଂ ମାଲବାହୀ ଟ୍ରେନ୍ ଟ୍ରାକରେ ଗଡ଼ିଛି । ଗତକାଲି ଉଭୟ ଟ୍ରାକରେ ମାଲବାହୀ ଟ୍ରେନ୍ ଚଳାଚଳ କରିଥିଲା । ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଜୋରସୋରରେ ମରାମତି ଚାଲିଥିଲା ।

ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିଲା । ବିଦ୍ୟୁତ ଖୁଣ୍ଟି ଓ ରେଳଧାରଣା ମରାମତି କାମ ଜୋରସୋରରେ କରାଯାଇଥିଲା । ଏହି କାର୍ଯ୍ୟରେ ଏକ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ଧାରଣା ଏବଂ ୨୧ଟି କ୍ଷତିଗ୍ରସ୍ତ ବଗି ହଟାଯାଇଥିଲା । ୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଥିବା ବେଳେ ତାର ଗୁଡ଼ିକ ଛିଣ୍ଡି ଯାଇଥିଲା । ଏବେ ନୂଆ ବିଦ୍ୟୁତ୍ ଖୁଣ୍ଟି ଲାଗିଛି । ଏଥିସହ ରେଳ ଲାଇନ୍ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି ।

ଗତ ୨ ତାରିଖରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଯାତ୍ରୀ ଏବେ ବି ଗୁରୁତର ଅଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଶବ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ସେପଟେ, ଘଟଣାର CBI ତଦନ୍ତ ଜାରି ରହିଛି ।

ଆଉ ଏକ ଖବର ଯାହା ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିବ । ୪୮ ଘଣ୍ଟା ପରେ ଜଣେ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଦୁର୍ଘଟଣାସ୍ଥଳ ଠାରୁ କିଛି ଦୂରରେ ତାଙ୍କୁ ଉଦ୍ଧାର କରାଯାଇଛି । ଛିଟିକି ପଡ଼ିଥିବା ବଗିତଳେ ସେ ଫସି ରହିଥିଲେ । ରେଲୱେ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଉଦ୍ଧାର ଯୁବକ ଆସାମ ଅଞ୍ଚଳର ଧୋଲାଲ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *