ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ରାଜ୍ୟ କଂଗ୍ରେସ

ବାହାନଗା ରେଳ ଦୁର୍ଘଟଣା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛି ରାଜ୍ୟ କଂଗ୍ରେସ। ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ଉପସ୍ଥାପନ କରିଛି ପ୍ରଦେଶ କଂଗ୍ରେସ । ରେଳ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ, ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ସହ କ୍ଷତି ପୂରଣ ୧୦ରୁ ୧୫ ଲକ୍ଷ ଟଙ୍କା ଓ ଗୁରୁତର ଆହତ ଓ ପଙ୍ଗୁ ହୋଇଥିବା ଯାତ୍ରୀଙ୍କୁ ବି ଚାକିରି ଦେବା ପାଇଁ ଦାବି କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।


ପଟ୍ଟନାୟକ କହିଛନ୍ତି କି, ଦେଶର ରେଳ ବିଭାଗରେ ଲକ୍ଷେ ଚାଳିଶ ହାଜର ପଦବୀ ଖାଲି ଅଛି, ତାହା ପୂରଣ କରାଯାଉନି। କଂଗ୍ରେସ ସମୟରେ ୨୦୧୨ରେ ଆଣ୍ଟି କୋରିଜନ ସିଷ୍ଟମ ହୋଇଥିଲା । ବିଜେପି ସରକାର ଆସିବା ପରେ କେବଳ ଏହାର ନାମ ବଦଳାଇ କବଚ କରିଦେଲା । ହେଲେ ମାତ୍ର ୨ ପ୍ରତିଶତ ଏହି ବ୍ୟବସ୍ଥା ଲାଗୁ ହୋଇଛି। ପୂର୍ବତଟ ରେଳବାଇରେ ଟଙ୍କାଏ ଖର୍ଚ୍ଚ ହୋଇନାହିଁ । ଏ ସମ୍ପର୍କରେ ସିଏଜି ମଧ୍ଯ ରିପୋର୍ଟ୍ ପ୍ରଦାନ କରିଥିଲେ ବି ଏହାକୁ ଚପାଇ ଦେଇଛି । ଟ୍ରାକ୍ ନବୀକରଣ ହେଉନି ବୋଲି ପଟ୍ଟନାୟକ କହିଛନ୍ତି।

ରେଳ ମନ୍ତ୍ରୀ ସିବିଆଇକୁ ତଦନ୍ତ ଦେଇ ଚାଲାକି ଦେଖାଉଛନ୍ତି। ସିବିଆଇ ତଦନ୍ତ କେବଳ ଅପରାଧିକ ମାମଲାରେ ହୁଏ । ତାମାନେ ଏହି ମନ୍ତ୍ରାଳୟରେ କିଛି ଗୋଟେ ଅପରାଧିକ ଘଟଣା ହେଉଥିଲା। ଏଠି ନିଶ୍ଚୟ ଅପରାଧ ହୋଇଛି। ନହେଲେ କାହିଁକି, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି?


ଆଗକୁ ସେ ଆହୁରି କହିଛନ୍ତି କି, ସୋରୋ ଡାକ୍ତରଖାନାରେ ୧୦ ଜଣ ଡାକ୍ତର ଆବଶ୍ଯକ ଅଛନ୍ତି, ହେଲେ ସେଠାରେ କାର୍ଯ୍ୟରତ ମାତ୍ର ୩ ଅଛନ୍ତି । ବାଲେଶ୍ବରରେ ରାତି ଡ୍ୟୁଟି ପାଇଁ ଡାକ୍ତର ନଥିଲେ । ରାଜ୍ଯରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ବିଭିନ୍ନ ହସ୍ପିଟାଲରେ ଡ଼ାକ୍ତରଙ୍କ ସହ ନର୍ସଙ୍କର ବି ଘୋର ଅଭାବ ରହିଛି। ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଇବା କଥା ତାହା ଆମେ ଦେଖିବାକୁ ପାଇଲୁ ନାହିଁ ବୋଲି କହି ଉଦବେଗ ପ୍ରକାଶ କରିଛନ୍ତି ଶରତ ପଟ୍ଟନାୟକ।
ରେଳ ଦୁର୍ଘଟଣାକୁ ନେଇ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କରୁଥିବା ବେଳେ ତାଙ୍କ ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା। ଶେଷରେ ପ୍ରଦେଶ କଂଗ୍ରେସ ପକ୍ଷରୁ ମୃତକଙ୍କ ପ୍ରତି ନୀରବ ପ୍ରାର୍ଥନା କରାଯାଇଛି।

Leave a Reply

Your email address will not be published. Required fields are marked *