
ଆସନ୍ତା ୨୮ ତାରିଖକୁ ସମସ୍ତଙ୍କ ଅପେକ୍ଷା । ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସଂସଦ ଭବନର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିବେ ପିଏମ୍ । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୭୫ ଟଙ୍କିଆ ମୁଦ୍ରିକା ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
୨୮ ତାରିଖ ଉଦଘାଟନୀ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି । ହେଲେ ଉଦଘାଟନୀ ଉତ୍ସବକୁ ନେଇ ରାଜନୀତି ବି ଥମୁନି । କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଦିଗରୁ ଘେରୁଛନ୍ତି ବିରୋଧୀ । ପୂର୍ବରୁ ଉତ୍ସବରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନହେବା ନେଇ କଂଗ୍ରେସ ଅଧ୍ୟକ୍ଷ ପ୍ରଶ୍ନ ଉଠାଇଥିଲେ । ଏବେ ପୁଣି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଗୋଷ୍ଠୀ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରୁଛନ୍ତି ।

ଅଣବିଜେପି ସମେତ ୨୫ରୁ ଅଧିକ ରାଜନୈତିକ ଦଳ ଏଥିରେ ଯୋଗଦେବେ । ହେଲେ ମୁଖ୍ୟ ବିରୋଧୀ ଏଥିରେ ସାମିଲ ହେବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମକୁ ଉଦଘାଟନ କରୁଥିବାରୁ ବିରୋଧ କରିବା ସହ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ।

ପାର୍ଲାମେଣ୍ଟ ଭବନ ବେଶ୍ ଚମତ୍କାର ଏବଂ ଆକର୍ଷଣୀୟ ହୋଇଛି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଏହି କୋଠା ଲୋକଙ୍କ ଟିକସ ଟଙ୍କାରେ ନିର୍ମିତ । ଏହା ଦେଶର ସମ୍ପତ୍ତି, ବିଜେପିର କିମ୍ବା ଆରଏସଏସର ନୁହଁ । ତେଣୁ ଏହି ଉତ୍ସବରେ ଯୋଗଦେବେ ବୋଲି କହିଛନ୍ତି ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ା । ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସେ ଦିଲ୍ଲୀ ଗସ୍ତରେ ଅଛନ୍ତି ।

ସବୁଠାରୁ ବଡ଼ କଥା ଏହି ଉତ୍ସବରେ ଲୋକସଭାରେ ସ୍ଥାପିତ ହେବ ସମ୍ମାନଜନକ ‘ସେଙ୍ଗୋଲ’। ଏହା ଭାରତର ଶକ୍ତିର ପ୍ରତୀକ । ୧୪ ଅଗଷ୍ଟ, ୧୯୪୭ରେ ବ୍ରିଟିଶମାନଙ୍କଠାରୁ ଭାରତକୁ ଶକ୍ତି ହସ୍ତାନ୍ତରର ପ୍ରତୀକ ଥିଲା ଏହି ସେଙ୍ଗୋଲ । ବ୍ରିଟିଶମାନଙ୍କ ଠାରୁ ପ୍ରଥମେ ଏହାକୁ ଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ ।
ମଦୁରାଇ ଅଧିନାମର ୨୯୩ତମ ପୁରୋହିତ ହରିହର ଦେସିକା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସେଙ୍ଗୋଲ ହସ୍ତାନ୍ତର କରିବେ । ୨୮ ତାରିଖ ଭୋରୁ ନୂତନ ସଂସଦ ଭବନର ଆନୁଷ୍ଠାନିକ ଉଦଘାଟନ ପାଇଁ ବହୁ ଧର୍ମ ପ୍ରାର୍ଥନା ଆରମ୍ଭ ହେବ ।

ଏହି କାର୍ଯ୍ୟକ୍ରମ ସଂସଦ ପରିସରରେ ପ୍ରାୟ ୭ଟା ସମୟରେ ଅନୁଷ୍ଠିତ ହେବ ଯେଉଁଠାରେ ଆନୁଷ୍ଠାନିକ ରାଜଦଣ୍ଡ ସେଙ୍ଗୋଲ, ମୋଦିଙ୍କୁ ହସ୍ତାନ୍ତର କରାଯିବ । ନୂଆ ସଂସଦ ଭବନରେ ସେଙ୍ଗୋଲର ପ୍ରତୀକ ପାଇଁ ଆଡେନମ୍ ପହଞ୍ଚିଛନ୍ତି । ମାଲାଇ ମାଣ୍ଡିର ପରିସର,ଆର.କେ ପୁରାମ ନୂଆଦିଲ୍ଲୀରେ ରହିବେ । ବୈଦିକ ରୀତିନୀତିରେ ଗଙ୍ଗାଜଳ ସ୍ନାନ ଏବଂ ତାମିଲ ଭଜନ ରୀତି ପରେ ସେମାନେ ସେଙ୍ଗୋଲକୁ ପିଏମ୍ ମୋଦିଙ୍କୁ ହସ୍ତାନ୍ତର କରିବେ ।
