ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ନବୀନଙ୍କ ଗୁଡବୁକରେ କାହାର ନାଁ ?

ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଶେଷ ହୋଇଛି । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୩ ବିଧାୟକ । ସେମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡିଂ ଏବଂ ଶାରଦା ପ୍ରସାଦ ନାୟକ ମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ପରେ ଏବେ କାହାକୁ କେଉଁ ଦାୟିତ୍ୱ ମିଳିବ ସେ ନେଇ ଜୋରଦାର ଚର୍ଚ୍ଚା । ସସପେନ୍ସରେ ନେତା ଓ ସମୀକ୍ଷକ । କିଏ କେଉଁ ବିଭାଗ ସମ୍ଭାଳିବେ । ଶୁଣାଯାଉଛି କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ପୁଣି ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହେବ ।

ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ତଥା ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ । ବିଭିନ୍ନ ବିଭାଗ ସମ୍ଭାଳିଥିବା ବେଳେ ବାଚସ୍ପତି ଦାୟତ୍ୱ ତୁଲାଇଛନ୍ତି । ତେଣୁ ତାଙ୍କୁ କେଉଁ ବିଭାଗ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ସୁଦାମ ମାର୍ଣ୍ଡି ପୂର୍ବରୁ ମନ୍ତ୍ରୀ ପଦରେ ଥିଲେ । ହେଲେ ଏବେ ସୁପ୍ରିମୋ କେଉଁ ବିଭାଗ ଦେବେ ତାକୁ ନେଇ ସସପେନ୍ସ ବଢ଼ିଛି । ସେହିପରି ବରିଷ୍ଠ ନେତା ଶାରଦା ନାୟକଙ୍କୁ କେଉଁ ଡିପାର୍ଟମେଣ୍ଟ ଦେବେ ମୁଖ୍ୟମନ୍ତ୍ରୀ ସେ ନେଇ ସମସ୍ତଙ୍କ ଅପେକ୍ଷା । ଦଳୀୟ ସୁପ୍ରିମୋ ଯେପରି ନୂଆ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛନ୍ତି,ସେଥିରୁ ବିଜେଡିର ସାଂଗଠନିକ ରଣନୀତିର ସ୍ପଷ୍ଟ ଆଭାସ ମିଳୁଛି । ମୟୂରଭଞ୍ଜ,ଗଞ୍ଜାମ ଓ ସୁନ୍ଦରଗଡ଼ରେ ଦଳର ସଂଗଠନକୁ ଅଧିକ ମଜଭୁତ୍‌ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଛି । ବିଜେଡି ସବୁଠାରେ ବାଜି ମାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏବେଠୁ ରଣନୀତି ଜୋରଦାର କରାଯାଇଛି ।

ସେପଟେ ପରବର୍ତ୍ତୀ ବାଚସ୍ପତି କିଏ ହେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବା ସମ୍ଭାବନା ଥିବାବେଳେ ଦେବୀପ୍ରସାଦ ମିଶ୍ର, ଅମର ଶତପଥୀଙ୍କ ପରି ନେତାଙ୍କୁ ବାଚସ୍ପତି ପଦ ମିଳିବା ସମ୍ଭାବନା ରହିଛି । ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲି ପଡ଼ିଥିଲା । ତେଣୁ ଏହି ୪ଟି ପଦ ପୂରଣ ହେବା ସହ ଅନ୍ୟ ମନ୍ତ୍ରୀଙ୍କ ଡିପାର୍ଟମେଣ୍ଟ ବି ବଦଳିବ ।

Leave a Reply

Your email address will not be published. Required fields are marked *