ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ: ଅସନ୍ତୁଷ୍ଟ ହାଇକୋର୍ଟ

ପାକିସ୍ତାନର ପୂର୍ବତନ କ୍ରିକେଟ ଅଧିନାୟକ ତଥା ପୂର୍ବତନ  ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ଆଜି ଗିରଫ କରାଯାଇଛି। ଏକ ମାମଲାରେ ସେ ଇସ୍ଲାମାବାଦ ହାଇକୋର୍ଟ ଆସୁଥିବା ବେଳେ କୋର୍ଟ ନିକଟରୁ ଗିରଫ କରିଛି ରେଞ୍ଜର୍ସ। ତେବେ ହାଇକୋର୍ଟ ପରିସରରୁ ଇମରାନଙ୍କୁ ଏପରି ଗିରଫ କରାଯିବାକୁ ନେଇହାଇକୋର୍ଟ ମୁଖ୍ୟ ବିଚାରପତି ଆମିର୍ ଫାରୁକ୍ ଅସନ୍ତୋଷ ପ୍ରକାଶ କରିଥିଲେ। ସମଗ୍ର ପାକିସ୍ତାନରେ ହିଂସା ଆରମ୍ଭ ହୋଇଯାଇଛି ।

ଗିରଫଦାରୀ ପରେ ଇମ୍ରାନଙ୍କ ଦଳ ପିଟିଆଇ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଗିରଫ କରିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଧକ୍କା ଦିଆଯାଇଥିବା ଅଭିଯୋଗ କରାଯାଇଛି । ଏକ ଭିଡିଓ ସହ ପିଟିଆଇ ପକ୍ଷରୁ ଉଲ୍ଲେଖ କରାଯାଇଛି କି, ରେଞ୍ଜର୍ସ ଯବାନମାନେ ଇମରାନଙ୍କୁ ଠେଲାପେଲା କରିଥିଲେ । ପାକିସ୍ତାନ, ଦେଶର ଲୋକଙ୍କୁ ବଞ୍ଚାଇବାର ଏହି ସମୟ… ଏହାପରେ ଆଉ କୌଣସି ସୁଯୋଗ ମିଳିବ ନାହିଁ ବୋଲି ଉଲ୍ଳେଖ ରହିଛି। ଏହି ଗିରଫଦାରୀକୁ ବିରୋଧ କରି ଦେଶର ପ୍ରମୁଖ ସହରରେ ପିଟିଆଇ ବ୍ଲକିଂ ଆରମ୍ଭ କରି ଦେଲାଣି।

ସେପଟେ ହାଇକୋର୍ଟ ପରିସରରୁ ଇମ୍ରାନଙ୍କୁ ଗିରଫ କରାଯିବାକୁ ନାପସନ୍ଦ କରି କୋର୍ଟ ୧୫ ମିନିଟ ଭିତରେ ଇସ୍ଲାମାବାଦ ପୁଲିସ ମୁଖ୍ୟ, ଆଭ୍ୟନ୍ତରୀଣ ମନ୍ତ୍ରାଳୟର ସଚିବ ଓ ଅତିରିକ୍ତ ଆଟର୍ଣ୍ଣି ଜେନେରାଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ମୁଖ୍ୟ ୧୫ ମିନିଟ ମଧ୍ୟରେ ହାଜର ନହେଲେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ବି ସମନ ପଠାଇବାକୁ ମୁଖ୍ୟ ବିଚାରପତି କହିଥିବା ସୂଚନା ରହିଛି ।

କେଉଁ ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି ତାହା ଜଣାଇବାକୁ କୋର୍ଟ ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇମରାନ ଆଜି ଏକ ମାମଲାକ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ଯାଉଥିଲେ। କୋର୍ଟ ପରିସରରେ ଇମରାନଙ୍କ ଗାଡି ପ୍ରବେଶ କରିବା ପରେ ପୁଲିସ ହାଇକୋର୍ଟ ଗେଟକୁ ବନ୍ଦ କରିଦେବା ସହ ତାଙ୍କୁ ଗିରଫ କରିଥିଲେ । ଏହି ଘଟଣା ପରେ ପାକିସ୍ତାନରେ ଦେଖାଦେଇଛି ଦଙ୍ଗା ପରିସ୍ଥିତି।

ଗତବର୍ଷ ସତ୍ତା ହରାଇବା ପରଠାରୁ ଇମରାନ ଖାଁ ଲଗାତର ବର୍ତ୍ତମାନର ସେହବାଜ ସରକାରକୁ ଟାର୍ଗେଟ କରି ଆସୁଥିଲେ। ସମ୍ପ୍ରତି ପାକିସ୍ତାନ କାଙ୍ଗାଳ ସ୍ଥିତିରେ ପହଞ୍ଚି ଥିବା ବେଳେ ଇମରାନ ସେଠାକାର ସରକାର ଓ ସେନାକୁ ଦାୟୀ କରି ଆସୁଥିଲେ। ଯାହା ସରକାର ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଇଛି। ତେଣୁ ଗତ ନଭେମ୍ବରରେ ଯେତେବେଳେ ଇମରାନ ସରାକର ବିରୋଧରେ ଏକ ବଡ ରାଲିର ଆହ୍ୱାନ କରି ରାଲି ଆୟୋଜନ କରିଥିଲେ, ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। କିନ୍ତୁ ଭାଗ୍ୟ ବଳରୁ ଇମରାନ ସେତେବେଳେ ସାମାନ୍ୟ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *