ନୂଆଦିଲ୍ଲୀ: ଇନ୍ଷ୍ଟାଗ୍ରାମ୍ ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଏଣିକି କେବଳ ମୋବାଇଲ୍ର ଛୋଟ ସ୍କ୍ରିନ୍ରେ ନୁହେଁ, ଟିଭିର ବଡ଼ ସ୍କ୍ରିନ୍ରେ ମଧ୍ୟ ଦେଖିପାରିବେ ଇନ୍ଷ୍ଟାଗ୍ରାମ୍ ରିଲ୍ସ। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମ୍ର ମାଲିକାନା କମ୍ପାନୀ ମେଟା ଭାରତରେ ଖୁବ୍ଶୀଘ୍ର ‘ଇନ୍ଷ୍ଟାଗ୍ରାମ୍ ଫର୍ ଟିଭି’ ଆପ୍ ଲଞ୍ଚ କରିବାକୁ ଯାଉଛି। ଫଳରେ ପରିବାର ଓ ବନ୍ଧୁଙ୍କ ସହ ବସି ମନପସନ୍ଦ ରିଲ୍ସ ଦେଖିବାର ମଜା ନେଇପାରିବେ ୟୁଜର୍ସ।
ନଭେମ୍ବର ୨୭ ତାରିଖରେ ମୁମ୍ବାଇରେ ଆୟୋଜିତ ‘ହାଉସ୍ ଅଫ୍ ଇନ୍ଷ୍ଟାଗ୍ରାମ୍’ କାର୍ଯ୍ୟକ୍ରମରେ ମେଟା ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆପଲ୍ ଟିଭି, ଆମାଜନ୍ ଫାୟାର୍ ଟିଭି ଏବଂ ଗୁଗଲ୍ ଟିଭିରେ ଏହି ସୁବିଧା ଉପଲବ୍ଧ ହେବ।
ଗୋଟିଏ ଟିଭିରେ ୫ଟି ଆକାଉଣ୍ଟ
ଏହି ନୂଆ ଆପ୍ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ନିଜ ସ୍ମାର୍ଟ ଟିଭିରେ ଇନ୍ଷ୍ଟାଗ୍ରାମ୍ ଆପ୍ ଡାଉନଲୋଡ୍ କରି ଆକାଉଣ୍ଟ ଲଗ୍ଇନ୍ କରିବାକୁ ପଡ଼ିବ। ଗୋଟିଏ ଟିଭିରେ ସର୍ବାଧିକ ୫ଟି ଆକାଉଣ୍ଟ ଯୋଡ଼ିବାର ସୁବିଧା ମିଳିବ। ଫଳରେ ପରିବାରର ଭିନ୍ନ ଭିନ୍ନ ସଦସ୍ୟ ନିଜ ପସନ୍ଦ ଅନୁଯାୟୀ ରିଲ୍ସ ଦେଖିପାରିବେ।
ରିମୋଟ୍ରେ କଣ୍ଟ୍ରୋଲ ହେବ ରିଲ୍ସ
ଟିଭିରେ ରିଲ୍ସ ଦେଖିବା ପାଇଁ ବାରମ୍ବାର ମୋବାଇଲ୍ ଧରିବାକୁ ପଡ଼ିବ ନାହିଁ। ଟିଭି ରିମୋଟ୍ ସାହାଯ୍ୟରେ ଭିଡିଓକୁ ନିୟନ୍ତ୍ରଣ କରିପାରିବେ ୟୁଜର୍ସ। ଗୋଟିଏ ରିଲ୍ସ ଶେଷ ହେବା ପରେ ଆପେ ଆପେ ପରବର୍ତ୍ତୀ ଭିଡିଓ ଚାଲିବ। ଏଥିସହ ଲୋକପ୍ରିୟ ଭିଡିଓ, ଷ୍ଟୋରିଜ୍ ଏବଂ ପସନ୍ଦର କଣ୍ଟେଣ୍ଟ କ୍ରିଏଟରଙ୍କ ଭିଡିଓ ମଧ୍ୟ ଦେଖିହେବ।
ମୋବାଇଲ୍ରୁ ସିଧାସଳଖ ଟିଭିକୁ ରିଲ୍ସ କାଷ୍ଟ କରିବାର ସୁବିଧା ମଧ୍ୟ ରହିବ। ଏଥିପାଇଁ ମୋବାଇଲ୍ ଓ ଟିଭିକୁ ସମାନ ୱାଇଫାଇ ନେଟୱର୍କ ସହ ସଂଯୋଗ କରିବାକୁ ପଡ଼ିବ।
ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ
ମେଟା ପକ୍ଷରୁ କିଶୋରକିଶୋରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ରିଲ୍ସ ପାଇଁ ୧୩+ କଣ୍ଟେଣ୍ଟ ରେଟିଂ ବ୍ୟବସ୍ଥା ରହିବ। ଟିଭିରେ ଇନ୍ଷ୍ଟାଗ୍ରାମ୍ ବ୍ୟବହାର କରିବାର ସମୟ ମଧ୍ୟ ଟିନ୍ ଆକାଉଣ୍ଟର ଦୈନିକ ସମୟସୀମାରେ ଯୋଡ଼ାଯିବ।
ତେବେ ଭାରତରେ ଏହି ଆପ୍ କେଉଁ ତାରିଖରେ ଲଞ୍ଚ ହେବ, ସେନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଆଗାମୀ କିଛି ଦିନ ମଧ୍ୟରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ମେଟା କହିଛି। ଏହି ନୂଆ ପଦକ୍ଷେପ ଡିଜିଟାଲ ମନୋରଞ୍ଜନ ଜଗତରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ।