ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ରହିଥିବା ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ନଭେମ୍ବର ୨୪ ତାରିଖ ଭୋର୍ ସମୟରେ ୟୁଏଇର ରାସ୍ ଅଲ୍ ଖୈମା ଅଞ୍ଚଳର ଅଲ୍ ୱତନ୍ ରୋଡ୍ରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ରେ ମୋଟ ୪୧ ଜଣ ଯାତ୍ରୀ ଥିଲେ। ଯାନ୍ତ୍ରିକ ତ୍ରୁଟି କାରଣରୁ ଏକ ଟ୍ରକ୍ ରାସ୍ତା କଡ଼ରେ ଅଟକି ରହିଥିଲା। ଏହି ସମୟରେ ଯାତ୍ରୀବାହୀ ବସ୍ଟି ଟ୍ରକ୍କୁ ଧକ୍କା ଦେଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ, ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଥିଲା। ପ୍ରଥମେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହେବାରୁ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି।
ଅନ୍ୟପଟେ ଏହି ଦୁଃଖଦ ଘଟଣାକୁ ନେଇ ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି। ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିବାବେଳେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରାଯାଉଛି। ସହାୟତା ପାଇଁ ୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର 800-46342 ଜାରି କରାଯାଇଛି। ତେବେ ମୃତକଙ୍କ ମଧ୍ୟରେ କେତେଜଣ ଭାରତୀୟ ରହିଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଗାଡ଼ି ଚଳାଇବା, ନିର୍ଦ୍ଧାରିତ ଗତିସୀମା ପାଳନ କରିବା ଏବଂ ଅନ୍ୟ ଯାନବାହନଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ୟୁଏଇର ଫୁଜୈରା ଅଞ୍ଚଳରେ ମଧ୍ୟ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା। ଦୁଇ ସପ୍ତାହ ମଧ୍ୟରେ ପୁଣି ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିବା ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।