Dhabaleswar Temple : ବଡ଼ଓଷାରେ ବଡ଼ସିଂହାର ବେଶ, ଝଟକୁଛନ୍ତି ବାବା ଧବଳେଶ୍ୱର

ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି ଧବଳେଶ୍ୱର ପୀଠ। ଚାରିଆଡ଼େ ଭକ୍ତିମୟ ପରିବେଶ। କାହା ଓଠରେ ଶିବ ପଞ୍ଚାକ୍ଷରୀ ମନ୍ତ୍ର ତ ଆଉ କାହା ହାତରେ ଫୁଲ, ବେଲପତ୍ର। ପବିତ୍ର ବଡ଼ଓଷା ଅବସରରେ ବଡ଼ସିଂହାର ବେଶରେ ଝଟକୁଛନ୍ତି ବାବା ଧବଳେଶ୍ୱର। ମହାଦେବଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିବା ପାଇଁ କଟକ ଜିଲ୍ଲା ଆଠଗଡ଼ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼।

ଆଜି ଭୋର ୪ଟାରୁ ମନ୍ଦିର ପହଡ଼ ଖୋଲାଯାଇ ବାବାଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି। ୧୦୮ କଳସ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯିବା ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଛି। ପରେ ବଡ଼ସିଂହାର ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦେବ ଦେବ ମହାଦେବ। ବଡ଼ଓଷା ପାଇଁ ମନ୍ଦିରକୁ ସୁନ୍ଦର ଭାବେ ସଜାଯାଇଛି।

କାର୍ତ୍ତିକ ମାସରେ ବଡ଼ଓଷାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ବ୍ରତ ପାଳନ କରି ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ମନୋକାମନା ପୂରଣ ହେବା ସହ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଏଥିପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଧବଳେଶ୍ୱର ପୀଠକୁ ଛୁଟି ଆସୁଛନ୍ତି।

ବଡ଼ଓଷାର ଅନ୍ୟତମ ଆକର୍ଷଣ ହେଉଛି ବାବାଙ୍କ ପ୍ରସିଦ୍ଧ ଗଜମଣ୍ଡା ଭୋଗ। ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ମଧ୍ୟରାତ୍ରିରେ ବାବାଙ୍କ ନିକଟରେ ଗଜମଣ୍ଡା ଭୋଗ ଲାଗି ହେବ। ଆସନ୍ତାକାଲି ସକାଳେ ଶ୍ରଦ୍ଧାଳୁମାନେ ତରଣ ଭୋଗ ପାଇବେ। ଏହି ପବିତ୍ର ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।

ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁରକ୍ଷା ପାଇଁ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯାତାୟାତ ବ୍ୟବସ୍ଥା ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି।

ମହାନଦୀ ମଧ୍ୟରେ ଅବସ୍ଥିତ ଏହି ପ୍ରାଚୀନ ଶୈବପୀଠରେ ଆଜି ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ସମାଗମ ଦେଖିବାକୁ ମିଳୁଛି। ମନରେ ଅସୁମାରି ଆଶା ଓ ହୃଦୟରେ ଅଗାଢ଼ ବିଶ୍ୱାସ ନେଇ ବାବାଙ୍କ ଶରଣାପନ୍ନ ହେଉଛନ୍ତି ଭକ୍ତ। ବଡ଼ଓଷାର ଏହି ପବିତ୍ର ଅବସରରେ ମହାଦେବଙ୍କ ଦିବ୍ୟ ଦର୍ଶନ ପାଇ ଭାବବିହ୍ୱଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ।