Kota Road Accident : ମନ୍ଦିରରୁ ଫେରିବା ବେଳେ ମୃତ୍ୟୁର ତାଣ୍ଡବ, ଚାଲିଗଲା ୯ ଜୀବନ

ମନରେ ଥିଲା ଭଗବାନଙ୍କ ଦର୍ଶନର ଆନନ୍ଦ। ପରିବାର ସହ ମନ୍ଦିର ଯାଇଥିଲେ, ପୂଜାର୍ଚ୍ଚନା କରି ଖୁସି ମନରେ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଛକି ବସିଥିଲା ମୃତ୍ୟୁ। ଅଧାବାଟରେ ଚାଲିଗଲା ୯ ଜଣଙ୍କ ଜୀବନ। ରାଜସ୍ଥାନର କୋଟାରେ ଘଟିଥିବା ଏହି ଛାତିଥରା ସଡ଼କ ଦୁର୍ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୨ଟା ସମୟରେ କୋଟା-ଉଦୟପୁର ଜାତୀୟ ରାଜପଥର ଶମ୍ଭୁପୁରା ଗ୍ରାମ ନିକଟରେ ଏହି ଭୟାବହ ଦୁର୍ଘଟଣା ଘଟିଛି। ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋଟିଏ ପରିବାରର ୧୬ ଜଣ ସଦସ୍ୟ ରାଜସ୍ଥାନର ପ୍ରସିଦ୍ଧ ଖାଟୁ ଶ୍ୟାମ ମନ୍ଦିର ଦର୍ଶନ କରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସେମାନଙ୍କ କ୍ରୁଜର ଗାଡ଼ି ଧକ୍କା ଦେଇଥିଲା।

ଧକ୍କା ଏତେ ଭୟଙ୍କର ଥିଲା ଯେ ଯାତ୍ରୀବାହୀ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଦୁମୁଡ଼ି ମୁଚୁଡ଼ି ହୋଇଯାଇଥିଲା। ଗାଡ଼ି ଭିତରେ ଫସି ରହିଥିଲେ ଯାତ୍ରୀ। ଏହି ଦୁର୍ଘଟଣାରେ ଶିଶୁ ଓ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପିଟିଆଇର ସୂଚନା ଅନୁସାରେ ଉଭୟ ଗାଡ଼ିର ଚାଳକଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ କୋଟା ସିଟି ଏସପି ତେଜସ୍ୱିନୀ ଗୌତମଙ୍କ ସମେତ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ି ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଆହତମାନଙ୍କୁ କୋଟାର ନ୍ୟୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ଗାଡ଼ି ଚଳାଇବା ସମୟରେ ଚାଳକଙ୍କ ଆଖି ଲାଗିଯିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଅତିରିକ୍ତ ଜିଲ୍ଲାପାଳ ରାଜେଶ ଯୋଶୀ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି। ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପ୍ରଶାସନର ପ୍ରଥମ ପ୍ରାଥମିକତା ରହିଛି। ଅନ୍ୟପଟେ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରହିଛି।

ଗୋଟିଏ ପରିବାରର ୯ ଜଣଙ୍କ ଅକାଳ ବିୟୋଗ ଏବେ ସମସ୍ତଙ୍କୁ ମର୍ମାହତ କରିଛି। ଭଗବାନଙ୍କ ଆଶୀର୍ବାଦ ନେଇ ଘରକୁ ଫେରୁଥିବା ପରିବାରର ତୀର୍ଥଯାତ୍ରା ଯେ ଏଭଳି ଏକ ଦୁଃଖଦ ଅଧ୍ୟାୟରେ ଶେଷ ହେବ, ତାହା କେହି କଳ୍ପନା ସୁଦ୍ଧା କରିନଥିବେ।