ବରଗଡ଼: କିଏ ହେବେ ମଥୁରା ନରେଶ? କାହା ମୁଣ୍ଡରେ ଶୋଭା ପାଇବ କଂସ ମହାରାଜଙ୍କ ମୁକୁଟ? ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଛି କଂସ ଚୟନ ପ୍ରକ୍ରିୟା। ଆସନ୍ତା ନଭେମ୍ବର ୨୭ ତାରିଖ ସକାଳ ୧୦ଟାରେ ବରଗଡ଼ ଟାଉନ୍ ହଲ୍ଠାରେ ମହାରାଜ କଂସ ଚରିତ୍ର ପାଇଁ କଳାକାର ଚୟନ ଅନୁଷ୍ଠିତ ହେବ। ଏହାକୁ ନେଇ କଳାକାରଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ଧନୁଯାତ୍ରା ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।
ସୂଚନା ଅନୁସାରେ, ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ କଂସ ଚରିତ୍ର ପାଇଁ ଆବେଦନ ଗ୍ରହଣ କରାଯାଇଥିଲା। ଏହି ସମୟ ମଧ୍ୟରେ ମୋଟ ୨୩ ଜଣ ଆଶାୟୀ କଳାକାର ଆବେଦନ କରିଥିବା ସୂଚନା ମିଳିଛି। ଏବେ ସମସ୍ତଙ୍କ ନଜର ନଭେମ୍ବର ୨୭ ତାରିଖ ଉପରେ। କାରଣ ସେହିଦିନ ନିର୍ଣ୍ଣୟ ହେବ, କିଏ ହେବେ ଧନୁଯାତ୍ରାର ନୂଆ କଂସ ମହାରାଜ।
କଂସ ଚରିତ୍ର ବରଗଡ଼ ଧନୁଯାତ୍ରାର ସବୁଠାରୁ ଆକର୍ଷଣୀୟ ଭୂମିକା ମଧ୍ୟରୁ ଅନ୍ୟତମ। ଏହି ଚରିତ୍ରରେ ଅଭିନୟ କରିବା ପାଇଁ କେବଳ ଅଭିନୟ ଦକ୍ଷତା ନୁହେଁ, ବରଂ ଶକ୍ତିଶାଳୀ ସଂଳାପ, ଗମ୍ଭୀର କଣ୍ଠସ୍ୱର, ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମଞ୍ଚ ଉପସ୍ଥିତିର ଆବଶ୍ୟକତା ରହିଛି। ଚୟନ ପ୍ରକ୍ରିୟାରେ କଳାକାରଙ୍କ ଏହିସବୁ ଦକ୍ଷତାକୁ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ବରଗଡ଼ ଧନୁଯାତ୍ରା ବିଶ୍ୱର ଅନ୍ୟତମ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ। ଏହି ଯାତ୍ରା ସମୟରେ ବରଗଡ଼ ସହର ମଥୁରା ନଗରୀରେ ପରିଣତ ହୋଇଥାଏ। ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ଯମୁନା ନଦୀର ପ୍ରତୀକ ପାଲଟିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଓ କଂସ ମହାରାଜଙ୍କ ରାଜତ୍ୱକୁ ନେଇ ଅନୁଷ୍ଠିତ ହୁଏ ଏହି ମହାନ ଲୋକନାଟ୍ୟ ମହୋତ୍ସବ।
ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୭୯ତମ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ କଂସ ଚୟନକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଏବେ ଅପେକ୍ଷା, କାହା ଗର୍ଜନରେ କମ୍ପିବ ମଥୁରା ନଗରୀ ?