ମଣିପୁର: ମଣିପୁରରେ ବିଷାକ୍ତ ଦେଶୀ ମଦ ପିଇବା ଘଟଣା ଭୟଙ୍କର ରୂପ ନେଇଛି। ରାଜ୍ୟର ଚାନ୍ଦେଲ ଜିଲ୍ଲା ଅନ୍ତର୍ଗତ ଚକପି କରୋଙ୍ଗ ଅଞ୍ଚଳରେ ସନ୍ଦିଗ୍ଧ ବିଷାକ୍ତ ମଦ ପିଇ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଅସୁସ୍ଥମାନଙ୍କୁ ଇମ୍ଫାଲର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।
ସୂଚନା ଅନୁସାରେ, ନଭେମ୍ବର ୧୮ରୁ ୨୦ ତାରିଖ ମଧ୍ୟରେ ଏହି ଘଟଣା ଘଟିଛି। ଦେଶୀ ମଦ ପିଇବା ପରେ ଅନେକ ଲୋକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। କାହାର ମୁଣ୍ଡ ବୁଲାଇଥିଲା ତ ଆଉ କାହାର ବାନ୍ତି ଓ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କେତେକ ଲୋକ ଦୃଷ୍ଟିଶକ୍ତି ସମସ୍ୟା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଅସୁସ୍ଥଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ କେତେକଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା।
ଗୁରୁତର ରୋଗୀମାନଙ୍କୁ ଇମ୍ଫାଲର ଶିଜା ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ରିମ୍ସ, ଜେଏନ୍ଆଇଏମ୍ଏସ୍ ଏବଂ ବାବିନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଦରେ ବିଷାକ୍ତ ମିଥାନଲ ମିଶିଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ବୈଜ୍ଞାନିକ ଭାବେ ସ୍ପଷ୍ଟ ହୋଇନାହିଁ।
ଘଟଣା ପରେ ମଣିପୁର ମୁଖ୍ୟମନ୍ତ୍ରୀ ୟୁମନାମ କ୍ଷେମଚାନ୍ଦ ସିଂହ ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏଥିସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ସନ୍ଦିଗ୍ଧ ଦେଶୀ ମଦ ସେବନ ନକରିବା ସହ ଅସୁସ୍ଥତାର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଯାଇଛି। ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ ଚଳାଇଛନ୍ତି।