Cyclone Akvan : ବାତ୍ୟା ଆକୱାନ୍‌କୁ ନେଇ ପୁରୀ ହାଇଆଲର୍ଟ, ବେଳାଭୂମିରେ ଉଡ଼ିଲା ଲାଲ୍ ପତାକା; ପର୍ଯ୍ୟଟକଙ୍କୁ ସମୁଦ୍ରକୂଳ ମନା

ପୁରୀ: ପୁଣି ଡରାଇଲାଣି ବାତ୍ୟା। ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଛି ଭୀଷଣ ବାତ୍ୟା ଆକୱାନ୍। ବାତ୍ୟା ଆଶଙ୍କାକୁ ନେଇ ଏବେ ପୁରୀ ଜିଲ୍ଲାରେ ହାଇଆଲର୍ଟ। ଅଶାନ୍ତ ହୋଇଉଠିଛି ସମୁଦ୍ର। ବଡ଼ ବଡ଼ ଢେଉ ସାଙ୍ଗକୁ ବଢ଼ୁଛି ପବନର ବେଗ। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ଲାଲ୍ ପତାକା ଲଗାଯିବା ସହ ସମୁଦ୍ରକୂଳକୁ ଯିବା ଉପରେ କଟକଣା ଲଗାଯାଇଛି।

ବାତ୍ୟା ଆକୱାନ୍‌ର ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ରହିଥିବାରୁ ପୁରୀ, ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସମୁଦ୍ରରେ ସ୍ନାନ, ନୌବିହାର ଓ ଜଳକ୍ରୀଡ଼ା ଭଳି କାର୍ଯ୍ୟକଳାପକୁ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ନଭେମ୍ବର ୧୯ ତାରିଖ ସକାଳ ସାଢ଼େ ୫ଟା ସୁଦ୍ଧା ବାତ୍ୟା ଆକୱାନ୍ ପୁରୀଠାରୁ ପ୍ରାୟ ୫୯୦ କିଲୋମିଟର ଏବଂ ଗୋପାଳପୁରଠାରୁ ୫୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଏବଂ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି। ସମୁଦ୍ରକୂଳରେ ଅଯଥା ଭିଡ଼ ନଜମାଇବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ଏବେ ବାତ୍ୟାର ଗତିପଥ ଓ ସମ୍ଭାବ୍ୟ ପ୍ରଭାବ ଉପରେ ରହିଛି ସମସ୍ତଙ୍କ ନଜର।