କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ବଢ଼ିଲା ୨୦୨୭ ବାର୍ଷିକ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷାର ଫର୍ମ ପୂରଣ ଅବଧି। ଏଣିକି ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ପାଲଟିଛି।
ପୂର୍ବରୁ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୨୧ ରହିଥିଲା। ତେବେ ବିଭିନ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଏହି ଅବଧିକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବୁଧବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ସୂଚନା ଦେଇଛନ୍ତି। କେବଳ ମାଟ୍ରିକ୍ ନୁହେଁ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷାର ଫର୍ମ ପୂରଣ ଅବଧି ମଧ୍ୟ ବୃଦ୍ଧି କରାଯାଇଛି।
ଅନ୍ୟପଟେ ଆସନ୍ତା ୨୦୨୭ ମସିହା ମାର୍ଚ୍ଚ ୧୨ ତାରିଖରୁ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପରୀକ୍ଷାର୍ଥୀଙ୍କୁ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ବିଷୟର ପରୀକ୍ଷା ମଧ୍ୟରେ ବ୍ୟବଧାନ ରଖାଯାଇଛି।
ଏହାସହ ଯେଉଁ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ଫର୍ମ ପୂରଣ କରିନାହାନ୍ତି, ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ବିଦ୍ୟାଳୟ ମାଧ୍ୟମରେ ଆବଶ୍ୟକ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ଫର୍ମ ପୂରଣ ସମୟରେ ନାମ, ଜନ୍ମ ତାରିଖ ଓ ଅନ୍ୟାନ୍ୟ ତଥ୍ୟ ଠିକ୍ ଭାବେ ଯାଞ୍ଚ କରିବା ଜରୁରୀ। ଶେଷ ମୁହୂର୍ତ୍ତର ଅସୁବିଧାକୁ ଏଡ଼ାଇବା ପାଇଁ ଆଗୁଆ ଫର୍ମ ପୂରଣ କରିବା ଉଚିତ। ତେବେ ଏହି ନୂଆ ନିଷ୍ପତ୍ତି ପରେ ହଜାର ହଜାର ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ପାଇଁ ଆଉ କିଛି ଦିନର ସୁଯୋଗ ମିଳିଛି।