Pakistani Man Arrested : ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ପାକିସ୍ତାନୀ ନାଗରିକଙ୍କୁ ୨୭ ବର୍ଷ ୬ ମାସ ଜେଲ୍!

ଆମେରିକାରୁ ଆସିଛି ଏକ ବଡ଼ ଖବର। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ମାମଲାରେ ପାକିସ୍ତାନୀ ନାଗରିକଙ୍କୁ କଠୋର ଦଣ୍ଡାଦେଶ। ୪୮ ବର୍ଷୀୟ ଆସିଫ୍ ମର୍ଚ୍ଚାଣ୍ଟଙ୍କୁ ୨୭ ବର୍ଷ ୬ ମାସ ଅର୍ଥାତ୍ ୩୩୦ ମାସର ଜେଲ୍ ଦଣ୍ଡ ଶୁଣାଇଛନ୍ତି ଆମେରିକାର ଏକ ସଂଘୀୟ ଅଦାଲତ।

ନଭେମ୍ବର ୧୭ ତାରିଖରେ ନ୍ୟୁୟର୍କର ବ୍ରୁକଲିନ୍ ସଂଘୀୟ ଅଦାଲତରେ ବିଚାରପତି ଏରିକ୍ ଆର୍. କୋମିଟି ଏହି ରାୟ ଶୁଣାଇଛନ୍ତି। ଆମେରିକା ନ୍ୟାୟ ବିଭାଗର ସୂଚନା ଅନୁସାରେ, ମର୍ଚ୍ଚାଣ୍ଟ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ବା ଆଇଆରଜିସି ସହ ଜଡ଼ିତ ଥିଲେ।

୨୦୨୪ ମସିହାରେ ଟ୍ରମ୍ପଙ୍କ ସମେତ ଆମେରିକାର ଅନ୍ୟ କେତେକ ପ୍ରମୁଖ ରାଜନେତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା। ଏହି ଯୋଜନାର ସମ୍ଭାବ୍ୟ ଟାର୍ଗେଟ୍‌ରେ ତତ୍କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ନିକି ହେଲି ମଧ୍ୟ ଥିଲେ।

ଅଭିଯୋଗ ଅନୁସାରେ, ୨୦୨୦ ମସିହାରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଇରାନର ସେନା କମାଣ୍ଡର କାସିମ୍ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଥିଲା।

ମର୍ଚ୍ଚାଣ୍ଟ ଆମେରିକାରେ ଭଡ଼ାଟିଆ ହତ୍ୟାକାରୀ ନିଯୁକ୍ତ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ କିଛି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ୫ ହଜାର ଡଲାର ଅଗ୍ରିମ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ସେ ଯେଉଁମାନଙ୍କୁ ହତ୍ୟାକାରୀ ଭାବିଥିଲେ, ସେମାନେ ପ୍ରକୃତରେ ଏଫବିଆଇର ଗୁପ୍ତ ଏଜେଣ୍ଟ ଥିଲେ।

ଏଫବିଆଇ ଏହି ଯୋଜନାର ପର୍ଦ୍ଦାଫାସ କରିବା ସହ ଆକ୍ରମଣ ପୂର୍ବରୁ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଥିଲା। ୨୦୨୬ ମାର୍ଚ୍ଚରେ ମର୍ଚ୍ଚାଣ୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଆମେରିକା ନ୍ୟାୟ ବିଭାଗ କହିଛି, ବିଦେଶୀ ଶକ୍ତିଙ୍କ ଇସାରାରେ ଆମେରିକୀୟ ନେତାଙ୍କ ଉପରେ ଆକ୍ରମଣ ଯୋଜନାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏହି ଦଣ୍ଡାଦେଶ ଏଭଳି ଷଡ଼ଯନ୍ତ୍ରକାରୀଙ୍କ ପାଇଁ କଡ଼ା ଚେତାବନୀ ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି।