ଏଣିକି ପିଚୁ କିମ୍ବା କଂକ୍ରିଟ୍ ନୁହେଁ, ସୁନାର ରାସ୍ତାରେ ଚାଲିବେ ଲୋକେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଏକ ନିଆରା ପ୍ରକଳ୍ପ ନେଇ ଆସୁଛି ଦୁବାଇ। ଯେଉଁଠି ୨୪ କ୍ୟାରେଟ୍ ସୁନା ବ୍ୟବହାର କରି ନିର୍ମାଣ କରାଯିବ ସ୍ୱତନ୍ତ୍ର ପାଦଚଲା ରାସ୍ତା। ଏହି ଖବର ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି।
ବିଶ୍ୱର ସବୁଠାରୁ ବିଳାସପୂର୍ଣ୍ଣ ସହର ମଧ୍ୟରୁ ଅନ୍ୟତମ ଦୁବାଇ। ଆକାଶଛୁଆଁ ଅଟ୍ଟାଳିକା, ଦାମୀ ଗାଡ଼ି ଓ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଇଁ ପ୍ରସିଦ୍ଧ ଏହି ସହର ଏବେ ଆଉ ଏକ ନୂଆ ଇତିହାସ ରଚିବାକୁ ଯାଉଛି।
ଦୁବାଇର ଦେଇରା ଅଞ୍ଚଳରେ ଥିବା ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟରେ ନିର୍ମାଣ କରାଯାଉଛି ଏହି ସ୍ୱତନ୍ତ୍ର ଗୋଲ୍ଡ ୱାକ୍ୱେ। ଏହାକୁ ବିଶ୍ୱର ପ୍ରଥମ ଏବଂ ଦୀର୍ଘତମ ୨୪ କ୍ୟାରେଟ୍ ସୁନାର ପାଦଚଲା ପଥ ଭାବେ ପ୍ରସ୍ତୁତ କରିବାକୁ ଯୋଜନା ରହିଛି।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁବାଇକୁ ବିଶ୍ୱର ସୁନା ବ୍ୟବସାୟ ଏବଂ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ଆହୁରି ମଜଭୁତ କରିବା। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କେବଳ ସୁନା କିଣିବାର ସୁଯୋଗ ପାଇବେ ନାହିଁ, ବରଂ ସୁନାରେ ନିର୍ମିତ ଏକ ନିଆରା ପଥରେ ଚାଲିବାର ଅଭିଜ୍ଞତା ମଧ୍ୟ ପାଇପାରିବେ।
ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟର ବରିଷ୍ଠ ନିର୍ଦ୍ଦେଶକ ରସିଦ ଅଲ୍ ହାରମୌଦିଙ୍କ ସୂଚନା ଅନୁସାରେ, ୨୦୨୬ ଶେଷ ସୁଦ୍ଧା ଏହି ୱାକ୍ୱେକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାର ଯୋଜନା ରହିଛି। ତେବେ ଏହାର ନିର୍ଦ୍ଦିଷ୍ଟ ଉଦ୍ଘାଟନ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।
ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ। କେମିତି ଦେଖାଯିବ ଏହି ସୁନାର ରାସ୍ତା? କେତେ ସୁନା ଲାଗିବ ଏହାର ନିର୍ମାଣରେ? ଏବଂ ଏହାର ସୁରକ୍ଷା ବ୍ୟବସ୍ଥା କିପରି ରହିବ? ପ୍ରକଳ୍ପର ସମ୍ପୂର୍ଣ୍ଣ ବୈଷୟିକ ତଥ୍ୟ ସାମ୍ନାକୁ ଆସିବା ପରେ ହିଁ ଏସବୁ ପ୍ରଶ୍ନର ଉତ୍ତର ମିଳିପାରିବ।