Mahakal Temple Controversy : ମହାକାଳ ମନ୍ଦିରରେ ବିଧାୟକଙ୍କ ପୁଅଙ୍କ ରିଲ୍‌କୁ ନେଇ ବିବାଦ! ସୁରକ୍ଷା କମ୍ପାନୀକୁ ୫ ଲକ୍ଷ ଜରିମାନା, ୩ ଗାର୍ଡ ବହିଷ୍କୃତ

ମହାକାଳ ମନ୍ଦିରରେ ଭିଆଇପି ସଂସ୍କୃତିକୁ ନେଇ ପୁଣି ଉଠିଲା ପ୍ରଶ୍ନ। ମନ୍ଦିର ଭିତରେ ରିଲ୍ ବନାଇ ବିବାଦରେ ବିଜେପି ବିଧାୟକଙ୍କ ପୁଅ। ମଧ୍ୟପ୍ରଦେଶର ପ୍ରସିଦ୍ଧ ଉଜ୍ଜୟିନୀ ମହାକାଳେଶ୍ୱର ମନ୍ଦିରରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ କଟକଣା ରହିଥିବା ସତ୍ତ୍ୱେ ବିଧାୟକଙ୍କ ପୁଅ ରିଲ୍ ତିଆରି କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ମନ୍ଦିର ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁରକ୍ଷା ଦାୟିତ୍ୱରେ ଥିବା ଘରୋଇ କମ୍ପାନୀ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିବା ବେଳେ ୩ ଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ସୂଚନା ଅନୁଯାୟୀ, ଇନ୍ଦୋରର ବିଜେପି ବିଧାୟକ ଗୋଲୁ ଶୁକ୍ଳାଙ୍କ ପୁଅ ରୁଦ୍ରାକ୍ଷ ଶୁକ୍ଳା ମହାକାଳେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ସେ ମନ୍ଦିରର ବାହାର ଅଞ୍ଚଳରୁ ଆରମ୍ଭ କରି ନିଷିଦ୍ଧ ଚାନ୍ଦି ଦ୍ୱାର ପର୍ଯ୍ୟନ୍ତ ମୋବାଇଲ୍‌ରେ ଭିଡିଓ ରେକର୍ଡିଂ କରିଥିଲେ। ତାଙ୍କ ସହ କିଛି ସମର୍ଥକ ମଧ୍ୟ ରହିଥିଲେ। ମନ୍ଦିର କର୍ମଚାରୀମାନେ ତାଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଦର୍ଶନ କରାଇଥିଲେ। ହେଲେ ନିଷିଦ୍ଧ ଅଞ୍ଚଳରେ ଭିଡିଓ କରିବା ସମୟରେ କେହି ତାଙ୍କୁ ଅଟକାଇ ନଥିବା ଅଭିଯୋଗ ହୋଇଛି।

ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଓ ଭିଆଇପିଙ୍କ ପାଇଁ ଅଲଗା ନିୟମକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣ ଭକ୍ତଙ୍କୁ ମନ୍ଦିରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମୋବାଇଲ୍ ନେବାକୁ ବାରଣ କରାଯାଉଥିବା ବେଳେ ଜଣେ ବିଧାୟକଙ୍କ ପୁଅ କିପରି ନିୟମ ଉଲ୍ଲଂଘନ କଲେ, ତାହାକୁ ନେଇ ବିବାଦ ବଢ଼ିଛି।

ଘଟଣାର ତଦନ୍ତ ପରେ ସୁରକ୍ଷା ଦାୟିତ୍ୱରେ ଅବହେଳା ଅଭିଯୋଗରେ ୩ ଜଣ ଗାର୍ଡଙ୍କୁ ବହିଷ୍କାର କରାଯାଇଛି। ଏହାସହ ସମ୍ପୃକ୍ତ ସୁରକ୍ଷା ଏଜେନ୍ସି ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ତେବେ ବିଧାୟକ ଗୋଲୁ ଶୁକ୍ଳା ଏହାକୁ ପୁରୁଣା ଭିଡିଓ ବୋଲି କହିବା ସହ ଘଟଣାକୁ ଅଯଥା ବଡ଼ କରାଯାଉଥିବା ଦାବି କରିଛନ୍ତି।

ଏବେ ସବୁଠାରୁ ବଡ଼ ପ୍ରଶ୍ନ, ମହାକାଳଙ୍କ ଦରବାରରେ ସାଧାରଣ ଭକ୍ତଙ୍କ ପାଇଁ ଗୋଟିଏ ନିୟମ ଓ ଭିଆଇପିଙ୍କ ପାଇଁ ଅଲଗା ନିୟମ କାହିଁକି? ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା, ହେଲେ ରିଲ୍ ତିଆରି କରିଥିବା ବିଧାୟକଙ୍କ ପୁଅଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ?