Kaziranga Road Accident : ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨୬ ମୃତ, ୨୦ ଆହତ; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଆସାମ: ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା। ରକ୍ତରେ ଭିଜିଲା ଜାତୀୟ ରାଜପଥ। ଯାତ୍ରୀବାହୀ ଟ୍ରାଭେଲର୍ ଓ କଣ୍ଟେନର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଲିଗଲା ୨୬ ଜଣଙ୍କ ଜୀବନ। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ମହିଳା ଓ ନାବାଳକ ରହିଥିବା ସୂଚନା ମିଳିଛି। ଏହି ହୃଦୟବିଦାରକ ଘଟଣା ସମଗ୍ର ଆସାମରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଅର୍ଥାତ୍ ନଭେମ୍ବର ୧୩ ତାରିଖରେ ଆସାମର ଗୋଲାଘାଟ ଜିଲ୍ଲା ଅନ୍ତର୍ଗତ କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ଜାତୀୟ ରାଜପଥ ୭୧୫ର ହାତୀକୁଲି ଚା’ ବଗିଚା ନିକଟ ରଙ୍ଗାଜାନ ଅଞ୍ଚଳରେ ଯାତ୍ରୀବାହୀ ଟ୍ରାଭେଲର୍ ସହ ଏକ କଣ୍ଟେନର ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାଭେଲର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଗାଡ଼ି ଭିତରେ ଅନେକ ଯାତ୍ରୀ ଫସି ରହିଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ସମେତ ବୋକାଖାଟ ସିଭିଲ୍ ହସ୍ପିଟାଲ ଓ ଯୋରହାଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଅତ୍ୟଧିକ ବେଗ ଓ ଗାଡ଼ିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ଅନ୍ୟପଟେ ଏହି ଦୁଃଖଦ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ଓ ପୀଡ଼ିତ ପରିବାରଙ୍କୁ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି।