Amitabh Bachchan Bomb Threat : ଅମିତାଭ ବଚ୍ଚନଙ୍କ ଘର ‘ଜଲସା’କୁ ପୁଣି ବୋମା ଧମକ! ତୃତୀୟ ଥର ଆସିଲା ଧମକପୂର୍ଣ୍ଣ ଇମେଲ୍, ମୁମ୍ବାଇରେ ହାଇଆଲର୍ଟ

ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରକୁ ପୁଣି ବୋମା ଧମକ। ବିଗ୍ ବିଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲସା’କୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଗତ ୨୦ ଦିନ ମଧ୍ୟରେ ଏହା ତୃତୀୟ ଧମକ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣା ପରେ ମୁମ୍ବାଇ ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି।

ସୂଚନା ଅନୁଯାୟୀ, ନଭେମ୍ବର ୧୨ ତାରିଖ ଗୁରୁବାର ସକାଳ ପ୍ରାୟ ୧୦ଟା ୫୨ ମିନିଟ୍‌ରେ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏଥିରେ କେବଳ ଅମିତାଭ ବଚ୍ଚନଙ୍କ ବାସଭବନ ନୁହେଁ, ବରଂ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର, ମେୟରଙ୍କ କାର୍ଯ୍ୟାଳୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା।

ଧମକପୂର୍ଣ୍ଣ ଇମେଲ୍‌ରେ ନଭେମ୍ବର ୨୭ ଓ ଡିସେମ୍ବର ୩୧ ତାରିଖର ମଧ୍ୟ ଉଲ୍ଲେଖ ରହିଥିଲା। ଏହି ଇମେଲ୍‌ରେ ତଥାକଥିତ ‘ଖଲିସ୍ତାନ ନ୍ୟାସନାଲ ଆର୍ମି’ ନାମକ ସଂଗଠନର ନାମ ରହିଥିବା ଜଣାପଡ଼ିଛି। ତେବେ ଏହି ଧମକ କିଏ ଦେଇଛି ଏବଂ ଏହା ପଛରେ ପ୍ରକୃତରେ କୌଣସି ସଂଗଠନର ସମ୍ପୃକ୍ତି ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଧମକ ମିଳିବା ପରେ ତୁରନ୍ତ ସକ୍ରିୟ ହୋଇଥିଲା ମୁମ୍ବାଇ ପୋଲିସ। ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ ସହ ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ତଲାସି ଅଭିଯାନ ଚଳାଇଥିଲେ। ପ୍ରାଥମିକ ଯାଞ୍ଚରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ସୂଚନା ରହିଛି।

ଏହା ପୂର୍ବରୁ ମଧ୍ୟ ଅମିତାଭଙ୍କ ଘରକୁ ଏଭଳି ଧମକ ମିଳିଥିଲା। ଗତ ନଭେମ୍ବର ୬ ତାରିଖରେ ମଧ୍ୟ ‘ଜଲସା’ ସମେତ ମୁମ୍ବାଇର କେତେକ ପ୍ରମୁଖ ସ୍ଥାନକୁ ବୋମା ଧମକ ଦିଆଯାଇଥିଲା।

ବାରମ୍ବାର ଏଭଳି ଧମକ ମିଳୁଥିବାରୁ ବିଗ୍ ବିଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଅନ୍ୟପଟେ ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ସହ ଧମକ ପଛର ସତ୍ୟତା ଖୋଜିବାରେ ଲାଗିଛି ପୋଲିସ।