ଭୁବନେଶ୍ୱର: ରାଜ୍ୟରେ ଅନଲାଇନ୍ ବାଇକ୍ ଟ୍ୟାକ୍ସି ସେବା ଯୋଗାଉଥିବା ଦୁଇ ପ୍ରମୁଖ କମ୍ପାନୀ ଉବେର ଓ ରାପିଡୋ ଉପରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ। ଏଣିକି ଘରୋଇ ନମ୍ବର ପ୍ଲେଟ୍ ଥିବା ଦୁଇଚକିଆ ଯାନକୁ ବ୍ୟବହାର କରି ଯାତ୍ରୀ ପରିବହନ କରିପାରିବେନି ଏହି ଦୁଇ କମ୍ପାନୀ। ବେଆଇନ୍ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ଉବେର ଓ ରାପିଡୋକୁ କଡ଼ା ନିର୍ଦ୍ଦେଶ ଦେଇଛି ରାଜ୍ୟ କ୍ରାଇମବ୍ରାଞ୍ଚ।
ମୋଟର ଯାନ ଆଇନ ୧୯୮୮ ଏବଂ ଓଡ଼ିଶା ଅନ୍ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଆଗ୍ରିଗେଟର୍ସ ଗାଇଡ୍ଲାଇନ୍ସ ୨୦୨୩ର ଉଲ୍ଲଂଘନ ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି। କଟକ, ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆରଟିଓଙ୍କ ସ୍ୱତନ୍ତ୍ର ଯାଞ୍ଚ ରିପୋର୍ଟ ଆଧାରରେ କ୍ରାଇମବ୍ରାଞ୍ଚ ଏହି ନିର୍ଦ୍ଦେଶ ଜାରି କରିଛି।
ଏନେଇ ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଘରୋଇ ପଞ୍ଜୀକୃତ ବାଇକ୍ ମାଧ୍ୟମରେ ଚାଲୁଥିବା ବେଆଇନ୍ ଯାତ୍ରୀ ପରିବହନ ସେବା ବନ୍ଦ କରିବାକୁ କୁହାଯାଇଛି। ଏଥିସହ ଉଭୟ କମ୍ପାନୀକୁ ନିଜ ନିଜ ମୋବାଇଲ୍ ଆପ୍ରେ ଅନଧିକୃତ ବାଇକ୍ ବୁକିଂ ସୁବିଧା ଅଚଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେବଳ ସେତିକି ନୁହେଁ, ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଓ ରାଜ୍ୟ ପରିବହନ ପ୍ରାଧିକରଣଙ୍କୁ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ନଚେତ୍ ସମ୍ପୃକ୍ତ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ତେବେ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର ହେଉଛି, ଏହି କଟକଣା କେବଳ ଅନଧିକୃତ ବାଇକ୍ ଟ୍ୟାକ୍ସି ସେବା ଉପରେ ଲାଗୁ ହେବ। ଉବେର ଓ ରାପିଡୋର କାର୍ ଏବଂ ଅଟୋ ସେବା ପୂର୍ବଭଳି ଚାଲୁ ରହିବ।
ଅନ୍ୟପଟେ ଏହି ନିଷ୍ପତ୍ତି ପରେ ବାଇକ୍ ଟ୍ୟାକ୍ସି ଚଳାଇ ଜୀବିକା ନିର୍ବାହ କରୁଥିବା ଚାଳକଙ୍କ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ସେହିପରି ଶସ୍ତା ଓ ସହଜ ଯାତାୟାତ ପାଇଁ ବାଇକ୍ ଟ୍ୟାକ୍ସି ଉପରେ ନିର୍ଭର କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ପଡ଼ିପାରେ