Two SPO Found Dead : ଜମ୍ମୁ-କଶ୍ମୀରରେ ଆତଙ୍କ! ନିଖୋଜ ୨ ପୋଲିସ କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ଜମ୍ମୁ-କଶ୍ମୀରରୁ ଆସିଛି ଏକ ବଡ଼ ଖବର। କିସ୍ତୱାର ଜିଲ୍ଲାରେ ଦୁଇ ଜଣ ସ୍ପେଶାଲ୍ ପୋଲିସ ଅଫିସରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି। ବୁଧବାରଠାରୁ ନିଖୋଜ ଥିବା ଦୁଇ ପୋଲିସ କର୍ମଚାରୀଙ୍କ ମୃତଦେହ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି। ଉଭୟଙ୍କ ଶରୀରରେ ଗୁଳିମାଡ଼ର ଚିହ୍ନ ରହିଥିବା ବେଳେ ସେମାନଙ୍କ ସରକାରୀ ଅସ୍ତ୍ରଶସ୍ତ୍ର ମଧ୍ୟ ନିଖୋଜ ରହିଛି। ଏହି ଘଟଣା ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ମୃତ ପୋଲିସ କର୍ମଚାରୀ ଦୁଇଜଣ ହେଲେ ୫୭ ବର୍ଷୀୟ ବାବି ଚାନ୍ଦ ଓ ୪୫ ବର୍ଷୀୟ ରଶପାଲ କୁମାର। ଉଭୟ କିସ୍ତୱାର ଜିଲ୍ଲାର ଦଚ୍ଛନ ଅଞ୍ଚଳର କିୟାର ଗ୍ରାମରେ ଥିବା ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍‌ରେ କାର୍ଯ୍ୟରତ ଥିଲେ। ବୁଧବାର ସେମାନେ କିୟାର କ୍ୟାମ୍ପରୁ ଧରନା-ମରୱାହ ଅଞ୍ଚଳରେ ଥିବା ସେନା ପୋଷ୍ଟକୁ ଯାଉଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଉଭୟ ନିଖୋଜ ହୋଇଯାଇଥିଲେ।

ପ୍ରଥମେ ସେମାନଙ୍କ ମୋବାଇଲ୍ ଫୋନ୍‌ରେ ଯୋଗାଯୋଗ ସମ୍ଭବ ହୋଇଥିଲେ ମଧ୍ୟ ପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହାପରେ ପୋଲିସ ଓ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଖୋଜାଖୋଜି ପରେ ଉଭୟଙ୍କ ମୃତଦେହ ଠାବ ହୋଇଥିଲା।

ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଘଟଣା ପଛରେ କେଉଁମାନଙ୍କ ହାତ ରହିଛି, ସେନେଇ ତଦନ୍ତ ଜାରି ରହିଛି।

ତେବେ ଏହା ଆତଙ୍କବାଦୀଙ୍କ ଯୋଜନାବଦ୍ଧ ଆକ୍ରମଣ କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣା ପୁଣିଥରେ ଜମ୍ମୁ-କଶ୍ମୀରର ପାହାଡ଼ିଆ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି।