କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର। ଏଣିକି ଇଣ୍ଟରନେଟ୍ ପାଇଁ ଆଉ ଖର୍ଚ୍ଚ କରିବାକୁ ପଡ଼ିବନି ଟଙ୍କା। କଲେଜ କ୍ୟାମ୍ପସରେ ମିଳିବ ମାଗଣା ହାଇସ୍ପିଡ୍ ୱାଇଫାଇ। ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ମିଳିବ ୧ ଜିବି ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଡାଟା। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ବିପ୍ଳବ ଆଣିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ମୋହନ ସରକାର। ଏଥିପାଇଁ କ୍ୟାବିନେଟ୍ ବୈଠକରେ ମିଳିଛି ଅନୁମୋଦନ।
ନଭେମ୍ବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ଶିକ୍ଷାନେଟ୍’ ଯୋଜନାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ୬୦୧ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ମାଗଣା ୱାଇଫାଇ ସୁବିଧା ଉପଲବ୍ଧ ହେବ।
ଏଥିପାଇଁ ରାଜ୍ୟ ସରକାର ୩୯୩ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ କରିବେ। ୨୦୨୬-୨୭ରୁ ୨୦୨୮-୨୯ ପର୍ଯ୍ୟନ୍ତ ତିନି ବର୍ଷ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରାଯିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୩୦ଟି କଲେଜରେ ୱାଇଫାଇ ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ଏହାର ପରିସର ବୃଦ୍ଧି କରାଯିବ।
ଏହି ଯୋଜନା ଦ୍ୱାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ୍ ସହାୟକ ହେବ।
ମାଗଣା ଇଣ୍ଟରନେଟ୍ ସୁବିଧା ମିଳିବା ପରେ ଛାତ୍ରଛାତ୍ରୀ ଅନଲାଇନ୍ କ୍ଲାସ୍, ଡିଜିଟାଲ୍ ଲାଇବ୍ରେରୀ, ଇ-ବୁକ୍ ଓ ଶିକ୍ଷା ସମ୍ବନ୍ଧୀୟ ଭିଡିଓ ସହଜରେ ଦେଖିପାରିବେ। ଏଥିସହ ଗବେଷଣା, ପ୍ରୋଜେକ୍ଟ କାମ ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ଏହି ସୁବିଧା ବ୍ୟବହାର କରିପାରିବେ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା ଅନୁସାରେ, ଯୋଜନା ଅଧୀନରେ ୱାଇଫାଇ ଭିତ୍ତିଭୂମି ସ୍ଥାପନ, ସାଇବର ସୁରକ୍ଷା ଓ ନେଟୱର୍କ ପରିଚାଳନା ବ୍ୟବସ୍ଥା ରହିବ। କେନ୍ଦ୍ରୀୟ ମନିଟରିଂ ବ୍ୟବସ୍ଥା ମାଧ୍ୟମରେ ଇଣ୍ଟରନେଟ୍ ସେବାର ଗୁଣବତ୍ତା ଉପରେ ନଜର ରଖାଯିବ।
ତେବେ ଏହି ମାଗଣା ଡାଟା ସୁବିଧା କେବଳ କଲେଜ କ୍ୟାମ୍ପସ ପରିସରରେ ଉପଲବ୍ଧ ହେବ। ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଏବେ ଦେଖିବାକୁ ବାକି ରହିଲା, କେତେ ଶୀଘ୍ର ସମସ୍ତ ଯୋଗ୍ୟ କଲେଜରେ ଏହି ମାଗଣା ୱାଇଫାଇ ସେବା ଆରମ୍ଭ ହେଉଛି।