ଚାକିରି ଜୀବନ ଆରମ୍ଭ ହେଉ ହେଉ ଚାଲିଗଲା ସରକାରୀ ଚାକିରି। ମାତ୍ର ୭ ହଜାର ଟଙ୍କା ଲାଞ୍ଚ ପାଇଁ ଭାଙ୍ଗିଗଲା ଭବିଷ୍ୟତର ସ୍ୱପ୍ନ। ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଚାକିରିରୁ ବିଦା ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର। ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୦ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି।
ସୂଚନା ଅନୁସାରେ, ୨୦୨୨ ବ୍ୟାଚ୍ର ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ମନୀଷା ମିଶ୍ର ୨୦୨୪ ଡିସେମ୍ବରରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ୨୦୨୫ ଡିସେମ୍ବରରେ ବାଲିଆପାଳ ସବ୍ରେଜିଷ୍ଟ୍ରାର ଭାବେ ନିଯୁକ୍ତି ପାଇଥିଲେ। ହେଲେ ଚାକିରିର ପ୍ରୋବେସନ୍ ଅବଧି ଶେଷ ହେବା ପୂର୍ବରୁ ଲାଞ୍ଚ ଅଭିଯୋଗରେ ଧରାପଡ଼ିଥିଲେ ମନୀଷା।
ଜଣେ ବ୍ୟକ୍ତିଙ୍କ ଜମି ବିକ୍ରି କବଲା ପଞ୍ଜୀକରଣ କରାଇଦେବା ପାଇଁ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ପରେ ଏହି ରାଶି ୭ ହଜାର ଟଙ୍କାକୁ କମାଇଥିଲେ। ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ନଭେମ୍ବର ୬ ତାରିଖରେ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍। ଆଉ କାର୍ଯ୍ୟାଳୟ ଭିତରେ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ଅଭିଯୋଗରେ ମନୀଷାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା।
ପରେ ନଭେମ୍ବର ୭ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଘଟଣାର ଗୁରୁତ୍ୱକୁ ବିଚାର କରି ରାଜ୍ୟ ସରକାର ମନୀଷାଙ୍କ ଚାକିରି ସମାପ୍ତ କରିଛନ୍ତି। ଏହି ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଦୁର୍ନୀତି ବିରୋଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଜାରି ରହିଛି।
ତେବେ ମାତ୍ର ୭ ହଜାର ଟଙ୍କା ଲାଞ୍ଚ ଅଭିଯୋଗରେ ଜଣେ ଯୁବ ଅଧିକାରୀଙ୍କ ଚାକିରି ଚାଲିଯିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଲାଞ୍ଚ ମାମଲାର ଆଇନଗତ ପ୍ରକ୍ରିୟା ଜାରି ରହିଛି।