AI Protest : AI ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ ! ମାଇକ୍ରୋସଫ୍ଟ ଡାଟା ସେଣ୍ଟରରେ ପଶିଲେ ବିକ୍ଷୋଭକାରୀ, ପାଣି ଓ ବିଜୁଳିକୁ ନେଇ ବଢ଼ିଲା ଚିନ୍ତା

ସାରା ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AIର ଚାହିଦା ବଢ଼ୁଥିବା ବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ। ଯେଉଁ AIକୁ ଭବିଷ୍ୟତର ଟେକ୍ନୋଲୋଜି କୁହାଯାଉଛି, ସେହି AIର ଭିତ୍ତିଭୂମି ବିରୋଧରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ। ଆମେରିକାଠାରୁ ୟୁରୋପ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚାଲିଛି ପ୍ରତିବାଦ। ଏପରିକି ମାଇକ୍ରୋସଫ୍ଟର ଏକ ଡାଟା ସେଣ୍ଟର ନିର୍ମାଣସ୍ଥଳରେ ମଧ୍ୟ ପଶିଛନ୍ତି ବିକ୍ଷୋଭକାରୀ।

ନଭେମ୍ବର ୬ ଓ ୭ ତାରିଖରେ ୟୁରୋପର ବିଭିନ୍ନ ଦେଶରେ AI ଡାଟା ସେଣ୍ଟର ବିରୋଧରେ ବଡ଼ଧରଣର ପ୍ରତିବାଦ ହୋଇଛି। ଆୟର୍ଲାଣ୍ଡର ରାଜଧାନୀ ଡବଲିନ୍‌ରେ ପ୍ରାୟ ୨ ହଜାର ଏବଂ ଫିନ୍‌ଲ୍ୟାଣ୍ଡର ହେଲସିଙ୍କିରେ ପ୍ରାୟ ୧୩୦୦ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନେଦରଲ୍ୟାଣ୍ଡର ଆମଷ୍ଟରଡାମ୍‌ରେ ଶତାଧିକ ପ୍ରତିବାଦକାରୀ ମାଇକ୍ରୋସଫ୍ଟ ଡାଟା ସେଣ୍ଟର ନିର୍ମାଣସ୍ଥଳରେ ପ୍ରବେଶ କରି କ୍ରେନ୍ ଉପରକୁ ଚଢ଼ିଥିଲେ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ AI ମଣିଷର କାମକୁ ସହଜ କରୁଛି, ତାହାକୁ ନେଇ ଏତେ ବିରୋଧ କାହିଁକି ?

ପ୍ରକୃତରେ AI ଚଳାଇବା ପାଇଁ ବିଶାଳ ଡାଟା ସେଣ୍ଟରର ଆବଶ୍ୟକତା ପଡ଼ିଥାଏ। ଏହି ଡାଟା ସେଣ୍ଟରଗୁଡ଼ିକରେ ହଜାର ହଜାର ସର୍ଭର ଲଗାଯାଇଥାଏ। ସର୍ଭରଗୁଡ଼ିକୁ ଚଳାଇବା ପାଇଁ ବିପୁଳ ପରିମାଣର ବିଜୁଳି ଆବଶ୍ୟକ ହୋଇଥାଏ। ସେହିପରି ସର୍ଭରକୁ ଥଣ୍ଡା ରଖିବା ପାଇଁ କେତେକ ଡାଟା ସେଣ୍ଟରରେ ପ୍ରଚୁର ପାଣି ବ୍ୟବହାର କରାଯାଇଥାଏ।

ବିକ୍ଷୋଭକାରୀଙ୍କ ଅଭିଯୋଗ, ଏଭଳି ଡାଟା ସେଣ୍ଟର ବୃଦ୍ଧି ପାଇଲେ ସ୍ଥାନୀୟ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହୋଇପାରେ। ବିଜୁଳି ଚାହିଦା ବଢ଼ିବା ସହ ବିଦ୍ୟୁତ୍ ବିଲ୍ ମଧ୍ୟ ମହଙ୍ଗା ହୋଇପାରେ। ଏହାଛଡ଼ା ପରିବେଶ ଓ ଜଳବାୟୁ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

‘ଷ୍ଟପ୍ ଡର୍ଟି ଡାଟା ସେଣ୍ଟର୍ସ’ ନାମକ ସଂଗଠନ ଏହି ପ୍ରତିବାଦର ନେତୃତ୍ୱ ନେଉଛି। ନୂଆ ବଡ଼ ଡାଟା ସେଣ୍ଟର ନିର୍ମାଣ ଉପରେ ସାମୟିକ ରୋକ୍ ଲଗାଇବା ଏବଂ କଡ଼ା ପରିବେଶ ନିୟମ ଲାଗୁ କରିବାକୁ ସଂଗଠନ ଦାବି କରିଛି। ଅନ୍ୟପଟେ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ AI ଓ କ୍ଲାଉଡ୍ ସେବା ପାଇଁ ଡାଟା ସେଣ୍ଟର ଅତ୍ୟାବଶ୍ୟକ ବୋଲି କହୁଛନ୍ତି। Reuters

ଏବେ ବଡ଼ ପ୍ରଶ୍ନ, ମଣିଷର ଭବିଷ୍ୟତକୁ ସହଜ କରିବାକୁ ଆସିଥିବା AI କ’ଣ ଆଗାମୀ ଦିନରେ ପାଣି ଓ ବିଜୁଳି ସଙ୍କଟର କାରଣ ପାଲଟିବ?