ସୁନା ଗହଣା ପିନ୍ଧିବାକୁ କିଏ ବା ଭଲ ନପାଏ। ବିବାହ ହେଉ କି ପର୍ବପର୍ବାଣି, ସୁନା ଅଳଙ୍କାର ସୌନ୍ଦର୍ଯ୍ୟରେ ଆଣିଥାଏ ଏକ ନିଆରା ଚମକ। ସୁନା ହାର, ଚେନ୍, ମୁଦି ଓ କାନଫୁଲ ପିନ୍ଧିଲେ ବଢ଼ିଯାଏ ଆକର୍ଷଣ। କିନ୍ତୁ ଦୀର୍ଘଦିନ ଧରି ବ୍ୟବହାର କରିବା ପରେ ଏହି ଗହଣାଗୁଡ଼ିକ ପୂର୍ବଭଳି ଚମକି ନଥାଏ। ଧୂଳିମଳି, ଝାଳ, ଶରୀରର ତେଲ ଓ ବିଭିନ୍ନ ପ୍ରସାଧନ ସାମଗ୍ରୀ ସଂସ୍ପର୍ଶରେ ଆସି ଗହଣା ଉପରେ ମଇଳା ଜମିଯାଏ। ଫଳରେ ଧୀରେ ଧୀରେ ଏହାର ଉଜ୍ଜ୍ୱଳତା ହ୍ରାସ ପାଇଥାଏ। ଏଥିପାଇଁ ଅନେକ ଲୋକ ସୁନା ଦୋକାନକୁ ଯାଇ ଗହଣା ସଫା କରାଇଥାନ୍ତି। ହେଲେ ଜାଣିଛନ୍ତି କି, କିଛି ସାଧାରଣ ସୁନା ଗହଣାକୁ ଘରେ ବସି ମଧ୍ୟ ସହଜରେ ସଫା କରାଯାଇପାରିବ। ଏଥିପାଇଁ ଆବଶ୍ୟକ ମାତ୍ର କେତୋଟି ଘରୋଇ ସାମଗ୍ରୀ ଓ ସଠିକ୍ ପ୍ରଣାଳୀ। ତେବେ ଆସନ୍ତୁ ଜାଣିବା, କିପରି ଗହଣାର ଯତ୍ନ ନେବେ ଏବଂ ଏହାର ପୁରୁଣା ଚମକ ଫେରାଇ ଆଣିବେ।

୧. ହାଲୁକା ସାବୁନ ପାଣିରେ ସଫା କରନ୍ତୁ
ଏକ ପାତ୍ରରେ ହାଲୁକା ଉଷୁମ ପାଣି ନିଅନ୍ତୁ। ସେଥିରେ ଅଳ୍ପ ମାଇଲ୍ଡ ଲିକ୍ୱିଡ୍ ସୋପ୍ ମିଶାନ୍ତୁ। ସାଧା ସୁନା ଗହଣାକୁ କିଛି ମିନିଟ୍ ଭିଜାଇ ରଖି ନରମ ବ୍ରଶ୍ରେ ଧୀରେ ସଫା କରନ୍ତୁ। ପରେ ସଫା ପାଣିରେ ଧୋଇ ନରମ କପଡ଼ାରେ ପୋଛି ଦିଅନ୍ତୁ।
୨.ନରମ ବ୍ରଶ୍ରେ ହଟାନ୍ତୁ ମଇଳା
ଗହଣାର କୋଣ ଓ ଚେନ୍ର ଛୋଟ ଛୋଟ ଜାଗାରେ ମଇଳା ଜମିଥାଏ। ଏଥିପାଇଁ ନରମ ବ୍ରଶ୍ ବ୍ୟବହାର କରନ୍ତୁ। ଅଧିକ ଜୋରରେ ଘଷନ୍ତୁ ନାହିଁ।
୩.ଗହଣାର ଚମକ ରଖିବାକୁ ନିଅନ୍ତୁ ଯତ୍ନ
ଗହଣା ପିନ୍ଧିବା ପୂର୍ବରୁ ପରଫ୍ୟୁମ୍, ଲୋସନ ଓ କ୍ରିମ୍ ଲଗାଇ ଶୁଖିବାକୁ ଦିଅନ୍ତୁ। ବ୍ୟବହାର ପରେ ନରମ କପଡ଼ାରେ ପୋଛି ଅଲଗା ଡବାରେ ରଖନ୍ତୁ।
ଜାଣିରଖନ୍ତୁ
ସବୁ ସୁନା ଗହଣାକୁ ଏକାଭଳି ସଫା କରିବା ଠିକ୍ ନୁହେଁ। ଗହଣାରେ ମୋତି, ହୀରା କିମ୍ବା ଅନ୍ୟ ନାଜୁକ ପଥର ଲାଗିଥିଲେ ଉଷୁମ ପାଣିରେ ଭିଜାନ୍ତୁ ନାହିଁ। ଗୋଲ୍ଡ ପ୍ଲେଟେଡ୍ ଗହଣାକୁ ଘଷିବା କିମ୍ବା ରାସାୟନିକ ପଦାର୍ଥ ଲଗାଇବାରୁ ଦୂରେଇ ରୁହନ୍ତୁ। ବେକିଂ ସୋଡ଼ା, ଟୁଥପେଷ୍ଟ ଓ ହଳଦୀ ଲଗାଇ ଘଷିବା ମଧ୍ୟ ଏଡ଼ାନ୍ତୁ। ସନ୍ଦେହ ଥିଲେ ଗହଣା ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ମନେରଖନ୍ତୁ, ସଠିକ୍ ଯତ୍ନ ନେଲେ ଆପଣଙ୍କ ପ୍ରିୟ ସୁନା ଗହଣାର ଚମକ ଦୀର୍ଘଦିନ ରହିବ।