Donald Trump: ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବିବାଦୀୟ ବୟାନ, ଆମେରିକା ରାଜନୀତିରେ ଝଡ଼!

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ତେଜିଲା ରାଜନୈତିକ ବିବାଦ। ଡେମୋକ୍ରାଟିକ୍ ପାର୍ଟିର ସିନେଟ୍ ପ୍ରାର୍ଥୀ ଅବଦୁଲ ଏଲ୍-ସୟଦଙ୍କୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ଏକ ନିର୍ବାଚନୀ ସଭାରେ ଅବଦୁଲଙ୍କୁ ‘ଜିହାଦୀ’ ବୋଲି ସମ୍ବୋଧନ କରିଛନ୍ତି ଟ୍ରମ୍ପ। ଯାହାକୁ ନେଇ ଆମେରିକାର ରାଜନୈତିକ ମହଲରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।

ଅକ୍ଟୋବର ୨୫ ତାରିଖରେ ମିଶିଗାନ୍ ରାଜ୍ୟର ପୋର୍ଟ ହ୍ୟୁରନ୍‌ରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଥିଲେ। ଏଲ୍-ସୟଦଙ୍କୁ ମୁସଲିମ୍ ବ୍ରଦରହୁଡ୍ ସଂଗଠନ ସହ ଯୋଡ଼ିବା ସହ ତାଙ୍କୁ ଆମେରିକାର ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଅଭିହିତ କରିଥିଲେ। ତେବେ ଏହି ଅଭିଯୋଗ ସପକ୍ଷରେ ଟ୍ରମ୍ପ କୌଣସି ପ୍ରମାଣ ଦେଇନଥିଲେ।

ଟ୍ରମ୍ପ ଆହୁରି କହିଥିଲେ, ଯଦି ଅବଦୁଲ ଏଲ୍-ସୟଦ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ସିନେଟ୍‌ରେ ପ୍ରବେଶ ପୂର୍ବରୁ ତାଙ୍କର ମେଟାଲ୍ ଡିଟେକ୍ଟର୍‌ରେ ଯାଞ୍ଚ କରାଯିବା ଉଚିତ। ଏପରିକି ୨୦୦୧ ମସିହା ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣର ଉଦାହରଣ ଦେଇ ଏଲ୍-ସୟଦଙ୍କୁ ଟାର୍ଗେଟ୍ କରିଥିଲେ ଆମେରିକୀୟ ରାଷ୍ଟ୍ରପତି।

ଅନ୍ୟପଟେ ଟ୍ରମ୍ପଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଅବଦୁଲ ଏଲ୍-ସୟଦ। ଚରମପନ୍ଥୀ ସଂଗଠନ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟକୁ ଆରବ-ଆମେରିକୀୟ ସମୁଦାୟର କେତେକ ପ୍ରତିନିଧି ମଧ୍ୟ ନିନ୍ଦା କରିଛନ୍ତି। ସେପଟେ ଟ୍ରମ୍ପଙ୍କ ଅଭିଯୋଗକୁ ତଥ୍ୟ ଯାଞ୍ଚକାରୀ ସଂସ୍ଥା ପଲିଟିଫ୍ୟାକ୍ଟ ଭିତ୍ତିହୀନ ବୋଲି ଦର୍ଶାଇଛି।

ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। ମିଶିଗାନ୍‌ରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଅବଦୁଲ ଏଲ୍-ସୟଦ ଓ ରିପବ୍ଲିକାନ୍ ପ୍ରାର୍ଥୀ ମାଇକ୍ ରୋଜର୍ସଙ୍କ ମଧ୍ୟରେ କଡ଼ା ମୁକାବିଲା ଚାଲିଛି। ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ବିବାଦୀୟ ବୟାନ ନିର୍ବାଚନୀ ରାଜନୀତିକୁ ଆହୁରି ସରଗରମ କରିଛି।