Priyanka karwachauth : ବିଦେଶରେ ଦେଶୀ ଗର୍ଲଙ୍କ କରୱା ଚୌଥ ! ସ୍ୱାମୀ ନିକ୍‌ଙ୍କ ପାଇଁ ସଜେଇ ହେଲେ ପ୍ରିୟଙ୍କା !

ବିଦେଶରେ ରହିଲେ ବି ଭୁଲିନାହାନ୍ତି ଭାରତୀୟ ପରମ୍ପରା। ପୁଣିଥରେ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସାତ ସମୁଦ୍ର ତେର ନଈ ପାରି ରହି ମଧ୍ୟ ସ୍ୱାମୀ ନିକ୍ ଜୋନାସଙ୍କ ପାଇଁ ପାଳନ କରିଛନ୍ତି କରୱା ଚୌଥ। ଆଉ ଏହି ଖାସ୍ ଅବସରରେ ନାଲି ପୋଷାକରେ ସଜେଇ ହୋଇ ପ୍ରଶଂସକଙ୍କ ମନ ଜିଣିଛନ୍ତି ଅଭିନେତ୍ରୀ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମ୍‌ଧାମ୍‌ରେ କରୱା ଚୌଥ ପାଳନ କରିଛନ୍ତି ପ୍ରିୟଙ୍କା। ଏହି ଉତ୍ସବର କିଛି ସୁନ୍ଦର ମୁହୂର୍ତ୍ତକୁ ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରିଛନ୍ତି। ନାଲି ରଙ୍ଗର ପାରମ୍ପରିକ ପୋଷାକ, ମଥାରେ ବିନ୍ଦି, ହାତରେ ମେହେନ୍ଦି ଓ ମୁଣ୍ଡରେ ଓଢ଼ଣି ପକାଇ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ପ୍ରିୟଙ୍କା। ତାଙ୍କ ସହ ନଜର ଆସିଛନ୍ତି ସ୍ୱାମୀ ନିକ୍ ଜୋନାସ।

ସବୁଠୁ ଖାସ୍ କଥା ହେଉଛି, ଏଥର ପ୍ରିୟଙ୍କା ନିଜ ହାତରେ ନିଜେ ମେହେନ୍ଦି ଲଗାଇଛନ୍ତି। ଆଉ ମେହେନ୍ଦିରେ ସ୍ୱାମୀ ନିକ୍ ଜୋନାସ ଓ ଝିଅ ମାଳତୀ ମେରୀଙ୍କ ନାମର ପ୍ରଥମ ଅକ୍ଷର ଲେଖିଛନ୍ତି। ଏହି ଫଟୋ ସେୟାର କରି ସମସ୍ତଙ୍କୁ କରୱା ଚୌଥର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ।

ଏତିକି ନୁହେଁ, ମେହେନ୍ଦିର ରଙ୍ଗ ଅଧିକ ଗାଢ଼ କରିବା ପାଇଁ ଦେଶୀ ଉପାୟ ମଧ୍ୟ ଆପଣାଇଛନ୍ତି ପ୍ରିୟଙ୍କା। ହାତରେ ଲାଗିଥିବା ମେହେନ୍ଦି ଉପରେ ଚିନିର ଶିରା ଲଗାଇ ଏହା କାମ କରିବ କି ନାହିଁ ବୋଲି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି।

ସେହିପରି ଆଉ ଏକ ଫଟୋରେ ନିକ୍ ଜୋନାସଙ୍କୁ କୁଣ୍ଢାଇ ଧରିଥିବା ନଜର ଆସିଛନ୍ତି କୁନି ଝିଅ ମାଳତୀ। ବାପା ଓ ଝିଅଙ୍କ ଏହି ସୁନ୍ଦର ମୁହୂର୍ତ୍ତକୁ ମଧ୍ୟ ସେୟାର କରିଛନ୍ତି ପ୍ରିୟଙ୍କା।

୨୦୧୮ ମସିହାରେ ନିକ୍ ଜୋନାସଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ଚୋପ୍ରା। ବିବାହ ପରଠାରୁ ଭାରତୀୟ ପର୍ବପର୍ବାଣିକୁ ଗୁରୁତ୍ୱ ଦେଇଆସୁଛନ୍ତି ଏହି ଅଭିନେତ୍ରୀ। ବିଦେଶରେ ରହି ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ତାଙ୍କର ଏହି ଅନ୍ଦାଜ ଏବେ ପ୍ରଶଂସକଙ୍କ ମନ ଜିଣୁଛି।