Tibet Earthquake: ତିବ୍ବତରେ ଭୟଙ୍କର ଭୂମିକମ୍ପ: ୧୬ ମୃତ, ୪୬ ଆହତ; ୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ

ତିବ୍ବତରେ ପ୍ରକୃତିର ତାଣ୍ଡବ। ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ତିବ୍ବତ। ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା ଶତାଧିକ ଘର। ଚାରିଆଡ଼େ ହାହାକାର ପରିସ୍ଥିତି। ଭୂମିକମ୍ପରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ଆହତ ହୋଇଛନ୍ତି।

ଚୀନର ତିବ୍ବତ ଅଞ୍ଚଳରେ ଗୁରୁବାର ରାତିରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ଦଶମିକ ଶୂନ ରେକର୍ଡ କରାଯାଇଛି। ସ୍ଥାନୀୟ ସମୟ ରାତି ୧୦ଟା ୩୩ ମିନିଟରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ତିବ୍ବତର ନାଗକୁ ସହର ଅନ୍ତର୍ଗତ ବାକେନ୍ କାଉଣ୍ଟିର ମାରୁ ଅଞ୍ଚଳରେ ରହିଥିଲା।

ଭୂମିକମ୍ପର ପ୍ରଭାବରେ ୩୩୯ଟି ପରିବାରର ଘର ଭୁଶୁଡ଼ି ପଡ଼ିବା ସହ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ୨୦ଟି ପଶୁଶାଳା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆହତ ୪୬ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ୩୫ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଭୂମିକମ୍ପ ପରେ ତୁରନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ୧୬୦୦ରୁ ଅଧିକ ଉଦ୍ଧାରକାରୀ ଓ ସ୍ଥାନୀୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭଗ୍ନାବଶେଷ ତଳେ କେହି ଫସି ରହିଛନ୍ତି କି ନାହିଁ, ସେନେଇ ତଲାସି ଜାରି ରହିଛି। ପ୍ରଭାବିତ ଲୋକଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ, ତମ୍ବୁ, ଶୀତବସ୍ତ୍ର ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଯାଇଛି।

ଅନ୍ୟପଟେ ଭୂମିକମ୍ପ ଯୋଗୁଁ କେତେକ ଅଞ୍ଚଳରେ ବିଦ୍ୟୁତ୍ ଓ ଯୋଗାଯୋଗ ସେବା ବାଧାପ୍ରାପ୍ତ ହୋଇଛି। ପାହାଡ଼ରୁ ପଥର ଖସିବାରୁ ରାସ୍ତା ଅବରୋଧ ହୋଇଥିବାବେଳେ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ତୁଷାରପାତର ସମ୍ଭାବନା ଥିବାରୁ ଉଦ୍ଧାର କାର୍ଯ୍ୟରେ ଅଧିକ ସମସ୍ୟା ସୃଷ୍ଟି ହୋଇପାରେ।

ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ମଧ୍ୟ ରହିଛି।