ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ମାମଲାରେ ବଡ଼ ଖୁଲାସା! ଅଟୋ ଚାଳକଙ୍କୁ ୧୦୦୦ ଟଙ୍କା ଦେଇ ରେକି କରୁଥିଲେ ଅଭିଯୁକ୍ତ!

ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାର ତଦନ୍ତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ଏହି ଘଟଣାରେ ଅଭିଯୁକ୍ତମାନେ କିପରି ବଲିଉଡ୍ ତାରକାଙ୍କ ଘର ଉପରେ ନଜର ରଖୁଥିଲେ, ସେନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ତଦନ୍ତରୁ ନୂଆ ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ଗୁଳିମାଡ଼ ଘଟଣାର ପ୍ରାୟ ଏକ ମାସ ପୂର୍ବରୁ ଅଭିଯୁକ୍ତମାନେ ମୁମ୍ବାଇରେ ପହଞ୍ଚିଥିଲେ। ସେମାନେ ଅନ୍ଧେରୀ ଅଞ୍ଚଳର ଏକ ହୋଟେଲ୍‌ରେ ରହି ବିଭିନ୍ନ ବଲିଉଡ୍ ତାରକାଙ୍କ ଘର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଭିଯୁକ୍ତମାନେ ଅଟୋରିକ୍ସା ଚାଳକଙ୍କ ସହାୟତା ନେଇ ବିଭିନ୍ନ ସେଲିବ୍ରିଟିଙ୍କ ଘର ଚିହ୍ନଟ କରୁଥିଲେ। ନିଜକୁ ମୁମ୍ବାଇରେ ନୂଆ ବୋଲି ପରିଚୟ ଦେଇ ଫିଲ୍ମ ଷ୍ଟାରଙ୍କ ଘର ବୁଲି ଦେଖିବାକୁ ଚାହୁଁଥିବା କହୁଥିଲେ।

ଏଥିପାଇଁ ସେମାନେ ଅଟୋ ଚାଳକଙ୍କୁ ବାରମ୍ବାର ପ୍ରାୟ ୧୦୦୦ ଟଙ୍କା ଦେଇଥିବା ତଦନ୍ତକାରୀ ସୂତ୍ରରୁ ଜଣାପଡ଼ିଛି। ଏପରିକି ଗୁଗୁଲ୍‌ରେ ବଲିଉଡ୍ ଅଭିନେତାଙ୍କ ଘରର ଠିକଣା ଖୋଜି ସେହି ସ୍ଥାନକୁ ଯାଉଥିବା ମଧ୍ୟ ସୂଚନା ମିଳିଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ସଲମାନ ଖାନ୍, ଆମିର ଖାନ୍ ଓ ରଣବୀର ସିଂହଙ୍କ ଭଳି ଅନେକ ତାରକାଙ୍କ ବାସଭବନ ନିକଟକୁ ଯାଇଥିଲେ। ତେବେ ସେମାନଙ୍କୁ ମଧ୍ୟ ଆକ୍ରମଣର ଲକ୍ଷ୍ୟ କରାଯାଇଥିଲା କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ଅନ୍ୟପଟେ ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୧ ମଧ୍ୟ ଯୋଡ଼ାଯାଇଛି। ଏହି ଧାରା ସଂଗଠିତ ଅପରାଧ ସହ ଜଡ଼ିତ।

ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ଆକ୍ରମଣ ପଛରେ କାହାର ହାତ ରହିଛି ଏବଂ ଅନ୍ୟ କେଉଁ ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରାଯାଇଥିଲା, ସେନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି।