୮ ବର୍ଷ ପରେ କ୍ୟାମ୍ପସରେ ନିର୍ବାଚନ, ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ମହାସଂଗ୍ରାମ

କ୍ୟାମ୍ପସରେ ନିର୍ବାଚନ ହେଲା, ଆଉ ଖୋଲିଗଲା ରାଜନୀତିର ପୁରୁଣା ଫାଇଲ୍! ଆଠ ବର୍ଷର ନିରବତା ପରେ ଛାତ୍ର ସଂସଦ ନିର୍ବାଚନ ଫେରିଲା, ହେଲେ ଏହା ସାଙ୍ଗରେ ଫେରିଲା ଅନେକ ଅସଜଡ଼ା ପ୍ରଶ୍ନ। ୨୦୧୯ରେ କାହିଁକି ବନ୍ଦ ହୋଇଥିଲା କଲେଜ ଇଲେକ୍ସନ? କାହିଁକି ଗଣତାନ୍ତ୍ରିକ ନିର୍ବାଚନ ବଦଳରେ ଲାଗୁ ହୋଇଥିଲା ସିଲେକ୍ସନ ବ୍ୟବସ୍ଥା? ଆଉ ଏବେ ନିର୍ବାଚନ ହେବା ପରେ କାହିଁକି ଆରମ୍ଭ ହୋଇଛି ବୟାନବାଜି? ପ୍ରଶ୍ନ ଅନେକ, ହେଲେ ରାଜନୈତିକ ଲଢ଼େଇରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେଉଁଠି?ଗୋଟିଏ ପଟେ ବିଜେପିର ଆକ୍ରମଣ, ଅନ୍ୟପଟେ ବିଜେଡିର ପ୍ରତିଜବାବ। ଛାତ୍ର ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଟଣାଓଟରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ବିଜେଡି ସରକାରକୁ ପ୍ରଶ୍ନ କରିଛନ୍ତି। ଏତେ ବର୍ଷ ଧରି କ୍ୟାମ୍ପସରେ ନିର୍ବାଚନ କାହିଁକି ହେଉନଥିଲା? ନୂଆ ଛାତ୍ରନେତା ସୃଷ୍ଟି ହେବାର ରାସ୍ତା କିଏ ବନ୍ଦ କରିଥିଲା? ଏହି ପ୍ରଶ୍ନକୁ ନେଇ ବିଜେଡିକୁ ଘେରିଛି ବିଜେପି।

ହେଲେ ବିଜେଡି ମଧ୍ୟ ଚୁପ୍ ବସିନାହିଁ। ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଯୁକ୍ତି, ବାତ୍ୟା ଓ କରୋନା ଯୋଗୁଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ହେଲେ ଏଠି ପ୍ରଶ୍ନ ହେଉଛି, ୨୦୨୦ ଓ ୨୦୨୧ରେ କରୋନା ଥିଲା ବୋଲି ଧରିନେଲେ, ୨୦୨୨ ଓ ୨୦୨୩ରେ କାହିଁକି ହୋଇନଥିଲା ନିର୍ବାଚନ? ଏହି ପ୍ରଶ୍ନର ଉତ୍ତରକୁ ନେଇ ଏବେ ରାଜନୀତି ଗରମ।ସବୁଠୁ ବଡ଼ କଥା ହେଉଛି, ୨୦୧୯ରେ ନିର୍ବାଚନ ବନ୍ଦ ସମ୍ପର୍କିତ ସରକାରୀ ଚିଠିରେ ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥ କଥା ଉଲ୍ଲେଖ ଥିବା ଦାବି କରାଯାଉଛି। ତେବେ କେଉଁ ସ୍ୱାର୍ଥ ପାଇଁ ଇଲେକ୍ସନ ବଦଳରେ ସିଲେକ୍ସନ? ଗଣତନ୍ତ୍ରରେ ଭୋଟ୍ ଦେଇ ନେତା ବାଛିବାର ଅଧିକାର ଛାତ୍ରଛାତ୍ରୀଙ୍କଠାରୁ କାହିଁକି ଦୂରେଇ ଦିଆଗଲା? ଏହା ଏବେ ବଡ଼ ରାଜନୈତିକ ପ୍ରଶ୍ନ।ସେପଟେ ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ଚାଲିଛି ହିସାବକିତାବ। ବିଭିନ୍ନ ପ୍ରମୁଖ କ୍ୟାମ୍ପସରେ ଏବିଭିପିର ସଫଳତାକୁ ବିଜେପି ନିଜ ପାଇଁ ବଡ଼ ରାଜନୈତିକ ସଙ୍କେତ ଭାବେ ଦେଖୁଛି। ଅନ୍ୟପଟେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସଫଳତାକୁ ଆଧାର କରି ୭୦ ପ୍ରତିଶତ ବିଜୟର ଦାବି ରଖୁଛି। କିନ୍ତୁ ଦାବି ଓ ବାସ୍ତବ ଫଳାଫଳ ଭିତରେ କେତେ ଫରକ, ତାହାକୁ ନେଇ ଚର୍ଚ୍ଚା ଥମୁନାହିଁ।ଏହାରି ଭିତରେ ନବୀନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ବିଜେଡି ଶିବିରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ନବନିର୍ବାଚିତ ଛାତ୍ରନେତାଙ୍କୁ ଭୁବନେଶ୍ୱରରେ ସମ୍ବର୍ଦ୍ଧନା ଦେବାକୁ ଯୋଜନା ଚାଲିଥିବା ଖବର ସାମ୍ନାକୁ ଆସିଛି। ଅର୍ଥାତ୍ ଯେଉଁ କ୍ୟାମ୍ପସରେ ନିର୍ବାଚନକୁ ନେଇ ବର୍ଷ ବର୍ଷ ଧରି ବିବାଦ ରହିଥିଲା, ସେହି କ୍ୟାମ୍ପସର ଛାତ୍ରନେତାଙ୍କୁ ଏବେ ନିଜ ରାଜନୈତିକ ମଞ୍ଚରେ ସ୍ୱାଗତ କରିବାକୁ ଚାହୁଁଛି ଦଳ।ତେବେ ଏଠି ଆଉ ଗୋଟିଏ ପ୍ରଶ୍ନ ହେଉଛି ଛାତ୍ରନେତାଙ୍କୁ ସମ୍ବର୍ଦ୍ଧନା ଦେବା ରାଜନୈତିକ ରଣନୀତି, ନା ନିଜର ପୁରୁଣା ନିଷ୍ପତ୍ତିକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ଦେବାର ପ୍ରୟାସ? ଏହାର ଉତ୍ତର ରାଜନୈତିକ ଦଳମାନେ ଦେବେ। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ବାଚନ କେବଳ ଜିତିବା ହାରିବାର ଖେଳ ନୁହେଁ। ଏହା ନେତୃତ୍ୱ ଗଢ଼ିବାର ମଞ୍ଚ, ନିଜ ସ୍ୱର ଉଠାଇବାର ଅଧିକାର ଏବଂ ଗଣତନ୍ତ୍ରର ପ୍ରଥମ ପାଠଶାଳା।ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ଛାତ୍ର ନିର୍ବାଚନ ଏବେ ରାଜନୈତିକ ଦଳମାନଙ୍କ ପାଇଁ ଶକ୍ତି ପରୀକ୍ଷା ପାଲଟିଛି। ବିଜେଡି ପାଇଁ ଏହା ଆତ୍ମସମୀକ୍ଷାର ସମୟ, ବିଜେପି ପାଇଁ ନିଜ ସଫଳତାକୁ ଆଗକୁ ନେବାର ସୁଯୋଗ। ହେଲେ ଏହି ଲଢ଼େଇ ଭିତରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଯେପରି ରାଜନୈତିକ ସ୍ୱାର୍ଥର ବଳି ନପଡ଼େ, ତାହା ହିଁ ସବୁଠୁ ବଡ଼ କଥା।ଇଲେକ୍ସନ ବନ୍ଦ କରିବାର ନିଷ୍ପତ୍ତି କାହାର ଥିଲା? ସିଲେକ୍ସନ ପଛରେ କେଉଁ ଯୁକ୍ତି ଥିଲା? ଆଉ ଏବେ କ୍ୟାମ୍ପସର ରାୟ କେଉଁ ଦଳକୁ କେଉଁ ବାର୍ତ୍ତା ଦେଲା? ଏହି ପ୍ରଶ୍ନର ଉତ୍ତର ହିଁ ଆଗାମୀ ଦିନରେ ଛାତ୍ର ରାଜନୀତିର ଦିଗ ନିର୍ଣ୍ଣୟ କରିବ।