ଢାବାରେ ଚାଲୁଛି ହୁକ୍କା ବାର ଓ ମିଳୁଛି ମଦକାର କିଲର ସୌମ୍ୟଙ୍କ ପାଖରେ ସାଙ୍ଘାତିକ ପ୍ରମାଣ ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କିଲର କାର ଚାଳକ ସୌମ୍ୟ ରଂଜନ ରଥକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିବା ପରେ ଏହା ପଛରେ ଥିବା କେତେକ ରହସ୍ୟ ଏବେ ସାମ୍ନାକୁ ଆସୁଛି । ସୌମ୍ୟ ଯେଉଁ କାର ଚଳାଉଥିଲା ସେହି କାରର ଡାସବୋର୍ଡ ଭିତରୁ କମିସନରେଟ ପୁଲିସର ଜଣେ ଏଡିସିପି ଅଧିକାରୀ ତପନ ପଟ୍ଟନାୟକଙ୍କ ପରିଚୟପତ୍ର ଜବତ କରିଛି ପୁଲିସ । ଏହି ଏଡିସିପି ଅଧିକାରୀ ଜଣକ କିଏ ?

ତାଙ୍କ ପରିଚୟ ପତ୍ର କେମିତି ସୌମ୍ୟଙ୍କ କାର ଭିତରକୁ ଆସିଲା ? ସୌମ୍ୟଙ୍କ ସହିତ ଏଡିସିପିଙ୍କର ସମ୍ପର୍କ କ’ଣ ? ନା ସୌମ୍ୟ ଏଡିସିପିଙ୍କର ପରିଚୟପତ୍ର ନକଲ କରି ପାଖରେ ରଖିଥିଲା ? ଯଦି ନକଲ କରିଥିଲା, କେବଳ ଏଡିସିପି ତପନଙ୍କର କାହିଁକି ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ସୃଷ୍ଟି ହୋଇଛି । କିନ୍ତୁ ପୁଲିସ ପକ୍ଷରୁ କୁହାଯାଉଛି ଏସବୁର ତଦନ୍ତ ଆରମ୍ଭ ହୋଇଛି । ବିଶ୍ୱସ୍ତସୂତ୍ରରୁ ଯାହା ସୂଚନା ମିଳିଛି, ଏଡିସିପି ତପନ ପଟ୍ଟନାୟକ ବର୍ତମାନ ପୁଲିସ ଚାକିରିରୁ ଅବସର ନେଇ ସାରିଲେଣି । ସେ କମିସନରେଟ ପୁଲିସ ମୁଖ୍ୟାଳୟରେ ଏଡିସିପି ଥିଲେ, ପରେ ପଦୋନ୍ନତି ପାଇ ଗଜପତି ଜିଲ୍ଲାର ଏସପି ହୋଇ ଥିଲେ । ପରିଚୟପତ୍ରରେ ଯେଉଁ ଫଟୋ ଲାଗିଛି, ତାହା ସ୍ପଷ୍ଟ ଭାବେ ତପନ ପଟ୍ଟନାୟକଙ୍କର ବୋଲି ଜଣାପଡ଼ୁଛି । ପରିଚୟପତ୍ରରେ ଠିକଣା ବଡ଼ଗଡ଼ ଟଙ୍କପାଣି ରୋଡ ବୋଲି ଉଲ୍ଲେଖ ରହିଛି । ଯେଉଁଠି ଦୁର୍ଘଟଣା ଘଟିଲା ତାର ପାଖାପାଖି ଠିକଣା । ତେବେ ତପନ ପଟ୍ଟନାୟକଙ୍କ ପରିଚୟପତ୍ର କେମିତି ସୌମ୍ୟଙ୍କ ପାଖକୁ ଆସିଲା ତାର ଉତର ବା ମତାମତ ତପନଙ୍କଠାରୁ ମିଳି ପାରି ନାହିଁ । ସୌମ୍ୟ ଯେଉଁ କାର ଚଳାଉଥିଲେ, ତାହା ତାଙ୍କର ନ ଥିଲା । ତେଣୁ ସେହି ଇଭି କାରଟି କାହାର ?

ତାକୁ ନେଇ ବଢୁଛି ସନ୍ଦେହ । ସେହି କାର ତପନଙ୍କର ନୁହେଁ ତ ? ଏମିତି ଅନେକ ଚର୍ଚା କଲେଣି ।ସୌମ୍ୟ ଯେଉଁ ଡାର୍ଲିଂ ଢ଼ାବାକୁ ଯାଇ ପାଟିତୁଣ୍ଡ କରିଥିଲା ଓ ପରେ କାର ମଡ଼ାଇ ଦେଇଥିଲା ତା ସମ୍ପର୍କରେ ସ୍ଥାନୀୟ ଲୋକ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ସେ ଢ଼ାବା ବିଳମ୍ବିତ ରାତି ଏପରିକି ଭୋର ପର୍ଯ୍ୟନ୍ତ ଖୋଲା ରୁହେ । ସେଠାରେ ହୁକ୍କା ବାର ଚାଲିବା ସହିତ ମଦ ମଧ୍ୟ ବିକ୍ରି ହୁଏ । ସେଥିପାଇଁ ସୌମ୍ୟ ଜୟଦେବ ବିହାରରୁ ସେଠାକୁ ଆସିଥିଲା । ରାତି ୧ଟାରୁ ସେ ଭୋର ପର୍ଯ୍ୟନ୍ତ ଢ଼ାବାରେ ବସି ମଦ ପିଇବା ସହିତ ହୁକ୍କା ଟାଣିଥିଲା ।

ପରେ ସକାଳ ୬ଟା ୫୦ ମିନିଟରେ ସେ ଢ଼ାବାରେ ପଇସା ନ ଦେଇ ଚାଲି ଯାଉଥିବାବେଳେ ଏଭଳି ଘଟଣା ଘଟିଥିଲା ।ବଡ଼ଗଡ଼ ଥାନା ଅଧୀନ ପୁରୀ ବାଇପାସ ମୁଖ୍ୟ ରାସ୍ତରେ ଏକ ଢ଼ାବାରେ ବେଆଇନ ଭାବେ ହୁକ୍କା ବାର ଚାଲିବା ଓ ରାତି ଭରି ମଦ ବିକ୍ରି ହେବା ଘଟଣା ପୁଲିସ ନ ଜାଣି ପାରିବା ଏବେ ଆଲୋଚନାର ବିଷୟ ହୋଇଛି । ସ୍ଥାନୀୟ ଲୋକ କହିଛନ୍ତି ପୁଲିସ ସବୁ ଜାଣିଛି ।ଏ ସମ୍ପର୍କରେ ଡିସିପି ସର୍ବଣା ବିବେକ ଏମ କହିଛନ୍ତି, ମୋ ନିକଟରେ ମଧ୍ୟ ସମାନ ଅଭିଯୋଗ ହୋଇଛି । ଖୁବ୍ ଶୀଘ୍ର ପୁଲିସ ପକ୍ଷରୁ ଢ଼ାବାକୁ ବନ୍ଦ କରି ଦିଆଯିବ । ଆଉ କୌଣସି ସ୍ଥାନରେ ଏଭଳି ବେଆଇନ ଭାବେ ହୁକ୍କା ବାର ଚାଲୁଥାଏ ଓ ମଦ ବିକ୍ରି ହେଉଥାଏ ପୁଲିସକୁ ଖବର ଦିଅନ୍ତୁ ବୋଲି ଡିସିପି ସର୍ବଣା ବିବେକ ଏମ କହିଛନ୍ତି ।