

ବୃନ୍ଦାବନରେ ଆଧ୍ୟାତ୍ମିକ ଜୀବନ ବିତାଉଥିବା ଜଣେ ଯୁବ ସାଧକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ଦୀପକ ଲୋଧି, ଯିଏ ‘ରସିକ ଦୁଲାରୀ ଶରଣ’ ନାମରେ ପରିଚିତ ଥିଲେ, ତାଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ | ମୁଣ୍ଡରୁ ଛାତି, ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଗୁରୁତର ଆଘାତ | ରିପୋର୍ଟ ଅନୁସାରେ ଦୀପକଙ୍କ ମୁଣ୍ଡରେ ଗୁରୁତର କ୍ଷତ ଥିଲା । ମୁଣ୍ଡର ପଛ ଭାଗରେ ରକ୍ତ ଜମାଟ ସହ ଖପୁରୀରେ ଆଘାତ ଚିହ୍ନ ମିଳିଥିଲା । ଛାତିରେ ମଧ୍ୟ ଗୁରୁତର ଆଘାତ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବାମପଟର କିଛି ପିଞ୍ଜରା ହାଡ଼ ଭାଙ୍ଗିବା ସହ ଫୁସଫୁସରେ ମଧ୍ୟ ଆଘାତ ଥିବା ଜଣାପଡ଼ିଛି । ଗୋଡ଼ରେ ମଧ୍ୟ ଗୁରୁତର ଆଘାତ ମିଳିଥିଲା ।ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଭାବେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହୋଇଥିବା ହେମରେଜିକ୍ ଶକ୍ ବୋଲି ଉଲ୍ଲେଖ ରହିଛି । ଅର୍ଥାତ୍ ଗୁରୁତର ଆଘାତ ପରେ ଅତ୍ୟଧିକ ରକ୍ତକ୍ଷୟ ତାଙ୍କ ମୃତ୍ୟୁର ପ୍ରମୁଖ କାରଣ ହୋଇଥିବା ରିପୋର୍ଟରୁ ଜଣାପଡ଼ୁଛି । କିନ୍ତୁ ଏଠି ହିଁ ଉଠୁଛି ବଡ଼ ପ୍ରଶ୍ନ ।ଦୀପକ ଚତୁର୍ଥ ମହଲାରୁ ତଳକୁ ପଡ଼ିଥିବା ନେଇ ସିସିଟିଭି ଫୁଟେଜ୍ ପୁଲିସ ଯାଞ୍ଚ କରିଛି । ନୂଆ ଫୁଟେଜ୍ରେ ସେ କିଛି ସମୟ ଛାତ ଉପରେ ବସିଥିବା ପରେ ଉଠି ତଳକୁ ପଡ଼ୁଥିବା ଦେଖାଯାଇଥିବା ରିପୋର୍ଟ ଆସିଛି । ଘଟଣା ପୂର୍ବରୁ ତାଙ୍କ ଶରୀରରେ ଥିବା ଆଘାତ କିପରି ହେଲା, ଏହାର କ୍ରମ କଣ ଥିଲା, ସେସବୁ ଦିଗ ତଦନ୍ତରେ ଖୋଜାଯାଉଛି ।ଏହି ମାମଲାରେ ଆଉ ଏକ ତଥ୍ୟ ପୁଲିସ ତଦନ୍ତକୁ ଗୁରୁତ୍ୱ ଦେଇଛି । ଦୀପକଙ୍କ ରୁମରୁ ଏକ ଗ୍ରାଇଣ୍ଡର ମିଳିଥିବା ରିପୋର୍ଟ ଆସିଛି । ଏହା ସହ ତାଙ୍କ ଶରୀରରେ ଥିବା ଗୁରୁତର ଆଘାତର ସମ୍ପର୍କ କଣ, ଗ୍ରାଇଣ୍ଡରରେ କାହାର ଫିଙ୍ଗରପ୍ରିଣ୍ଟ ରହିଛି, ଏବଂ ଘଟଣା ପୂର୍ବରୁ ରୁମ୍ ଭିତରେ କଣ ଘଟିଥିଲା, ଏସବୁକୁ ଫରେନସିକ୍ ଯାଞ୍ଚର ଅଂଶ କରାଯାଇଛି ।ପୋଷ୍ଟମର୍ଟମ ରିପୋର୍ଟ ମୃତ୍ୟୁର ଚିକିତ୍ସାଜନିତ କାରଣକୁ ସ୍ପଷ୍ଟ କରିଛି, କିନ୍ତୁ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି କଣ ଥିଲା, ଆଘାତଗୁଡ଼ିକର କ୍ରମ କିପରି ଥିଲା ଏବଂ ଘଟଣା ପୂର୍ବରୁ କଣ ଘଟିଥିଲା, ତାହାକୁ ନେଇ ତଦନ୍ତ ଜାରି ରହିଛି ।