ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ଏବଂ ବ୍ରାହ୍ମଣୀ ଟ୍ରକ ମାଲିକ ସଂଘଙ୍କ ଦ୍ୱାରା ୮୦ ତମ ସ୍ଵାଧୀନତା ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳିର କଣ୍ଟାବଣିଆ ଠାରେ ପାଳିତ ହୋଇଯାଇଛି ୮୦ ତମ ସ୍ବାଧୀନତା ଦିବସ । ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ଏବଂ ବ୍ରାହ୍ମଣୀ ଟ୍ରକ ମାଲିକ ସଂଘଙ୍କ ମିଳିତ ପ୍ରଚେଷ୍ଟାରେ ଆମ ମା ମାଟିକୁ ସମ୍ମାନ ଜଣାଇ ବିଶ୍ବର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଅଖଣ୍ଡ ଭାରତବର୍ଷର ଗର୍ବ ଗୌରବ ଏବଂ ଜାତୀୟତାଭାବକୁ ମନେପକାଇ ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ପାଳିତ ହୋଇଛି ଏହି ପବିତ୍ର ମନୋରମ ଉତ୍ସବ ।

ଏହି ମନୋରମ ଉତ୍ସବରେ ଯୋଗଦାନ କରିଥିବା ଢେଙ୍କାନାଳ ଜିଲ୍ଲାର ଅଧିବାସୀ, ଅଞ୍ଚଳର ସର୍ବସାଧାରଣ, ବ୍ରାହ୍ମଣୀ ଟ୍ରକ ମାଲିକ ସଂଘ ଏବଂ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘର କର୍ମକର୍ତ୍ତାଙ୍କ ସହ ଉପସ୍ଥିତ ସମସ୍ତ ଦେଶପ୍ରେମୀ ଜନସାଧାରଣ ଭିତରେ ଏକ ସ୍ବତନ୍ତ୍ର ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ପୂର୍ବତନ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ସୁଧୀର ସାମଲ ଯୋଗଦାନ କରି ପତାକା ଉତ୍ତୋଳନ କରିବା ସହ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

କାର୍ଯକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରାହ୍ମଣୀ ଟ୍ରକ ୱେଲଫେୟାର ଆସୋସିଏସନର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ଧଳ, ଆଞ୍ଚଳିକ କ୍ଷତିଗ୍ରସ୍ତ ଶିଳ୍ପାଞ୍ଚଳ ପ୍ରଜା ସଂଘର କର୍ମକର୍ତ୍ତା ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସାହୁ ଓ ବିନୋଦ କୁମାର ସାହୁ ଯୋଗଦେବା ସହ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରି ସଭାପତି ନରୋତ୍ତମ ସାହୁ, ଜୟନ୍ତ କୁମାର ନାଥ, ଅଖିଳ କୁମାର ମହାପାତ୍ର, ସମାଜସେବୀ କୈଳାସ ରାଉତ, ରାମ ନାଥ ଏବଂ ବିଭିନ୍ନ ଗ୍ରାମ ପଂଚାୟତ ତଥା ଆଖପାଖ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ସରପଞ୍ଚ, ସମିତିସଭ୍ୟ ଜିଲ୍ଲାପରିଷଦ ସଦସ୍ୟ ଏବଂ ମହିଳା ନେତ୍ରୀ ମାନେ ଉପସ୍ଥିତ ରହି ଏହି ମନୋରମ କାର୍ଯ୍ୟକ୍ରମକୁ ସାପଲ୍ୟ ମଣ୍ଡିତ କରାଇଥିଲେ ।

ଏହି ମହାର୍ଘ କାର୍ଯ୍ୟକ୍ରମରେ ମାନ୍ୟବର, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ସ୍ବାଧୀନତାର ଅର୍ଥ ବୁଝାଇବା ସହ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ଯା ଉପରେ ଆଲୋକପାତ କରିଥିଲେ। ଲୋକମାନେ କିପରି ସେମାନଙ୍କର ମୌଳିକ ସୁବିଧା ପାଇପାରିବେ ତାହା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ। ବିଶେଷ କରି ଶିକ୍ଷା ଓ ସ୍ଵାସ୍ଥରେ ଉନ୍ନତି ଏବଂ ଅଞ୍ଚଳର ଆର୍ଥିକ ବିକାଶ କିପରି ସମ୍ଭବ ହେବ ସେ ସମ୍ପର୍କରେ ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ଯା ଗୁଡିକର କିପରି ସ୍ଥାୟୀ ସମାଧାନ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ମତ ରଖିଥିଲେ ।

ଉତ୍ସବରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା, ଅଞ୍ଚଳବାସୀ, ଜନସାଧାରଣ ଶ୍ରୀଯୁକ୍ତ ସାମଲଙ୍କ ମତାମତକୁ ସମ୍ମାନ ଜଣାଇ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କଳ୍ପେ ସମସ୍ତେ ଏକ ମନ ପ୍ରାଣ ହୋଇ କାର୍ଯ୍ୟ କରିବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଥିଲେ ।