ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେଉଁଠି ପୋଲ ଭୁଶୁଡ଼ି ପଡ଼ୁଛି, ତ ଆଉ କେଉଁଠି ରାସ୍ତା ଉପରେ ପାଣି ଚାଲିଯିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତି ମଧ୍ୟରେ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ଲେବଡ଼ି ବ୍ରିଜର ଦୃଶ୍ୟ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି।ଏହି ବ୍ରିଜଟି ବଲାଙ୍ଗୀରରୁ ପଦ୍ମପୁରକୁ ସଂଯୋଗ କରୁଥିବା ଏକ ପ୍ରମୁଖ ସଡ଼କ ଉପରେ ଅବସ୍ଥିତ। ପ୍ରତିଦିନ ଶହ ଶହ ଯାନବାହନ ଓ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। କିନ୍ତୁ ବ୍ରିଜଟି ଦୀର୍ଘ ସମୟ ଧରି ଅସମ୍ପୂର୍ଣ୍ଣ ରହିଥିବାରୁ ଏବେ ଯାତ୍ରୀମାନଙ୍କ ପାଇଁ ଏହା ବିପଦର କାରଣ ପାଲଟିଛି।


ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବ୍ରିଜର ଅଧିକାଂଶ କାମ ସରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟର କିଛି କାମ ଏପର୍ଯ୍ୟନ୍ତ ବାକି ରହିଛି। ବିଶେଷକରି ଦୁଇଟି ସଂଯୋଗ ଅଂଶ ନିର୍ମାଣ ନ ହେବାରୁ ଲୋକମାନେ ବ୍ରିଜ ଉପରେ ସିଧାସଳଖ ଯାଇପାରୁ ନାହାନ୍ତି। ପ୍ରତିଦିନ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ, ମହିଳା ଓ ସାଧାରଣ ଲୋକ ସିଡ଼ି ଦେଇ ଯାତାୟାତ କରୁଛନ୍ତି। ଯଦି କାହାର ପାଦ ଖସିଯାଏ, ତେବେ ଏକ ବଡ଼ ଦୁର୍ଘଟଣା ଘଟିପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।କେବଳ ପଦଯାତ୍ରୀ ନୁହେଁ, ଚାରିଚକିଆ ଯାନ ଓ ଅନ୍ୟାନ୍ୟ ବଡ଼ ଗାଡ଼ି ମଧ୍ୟ ଏହି ରାସ୍ତା ଦେଇ ଯାଇପାରୁ ନାହାନ୍ତି। ଫଳରେ ଲୋକଙ୍କୁ ବିକଳ୍ପ ରାସ୍ତା ଧରି ଅଧିକ ଦୂର ବୁଲି ଯିବାକୁ ପଡ଼ୁଛି । ଏଥିରେ ସମୟ ଓ ଅର୍ଥର ସମସ୍ୟା ଭୋଗିବାକୁ ପଡୁଛି | ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାଇ ଏହି ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇ ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଢାଞ୍ଚା ନିର୍ମାଣ ହୋଇଥିଲେ ମଧ୍ୟ କୌଣସି ପ୍ରଶାସନିକ କିମ୍ବା ବୈଷୟିକ ସମସ୍ୟା ଯୋଗୁଁ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଫଳସ୍ୱରୂପ ଲୋକମାନେ ଦୀର୍ଘ ଦିନ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ କହିବ ଅନୁଯାଇ ବର୍ଷା ଦିନରେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ିଛି। ଯଦି ଶୀଘ୍ର ବ୍ରିଜର ଅବଶିଷ୍ଟ କାମ ସମ୍ପୂର୍ଣ୍ଣ କରାନଯାଏ, ତେବେ ଯେକୌଣସି ସମୟରେ ଅଘଟଣ ଘଟିପାରେ ବୋଲି ଆଶଙ୍କା କରାଯାଉଛି | ଅଞ୍ଚଳବାସୀ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ଯେ, ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଲେବଡ଼ି ବ୍ରିଜର ଅବଶିଷ୍ଟ ନିର୍ମାଣ କାମ ଶେଷ କରାଯାଉ ଏବଂ ଯାତାୟାତ ସ୍ୱାଭାବିକ କରିବା ହସ କାମ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସୁରକ୍ଷିତ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ଉଠିଛି, ଯାହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡିବନି ।